ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ ନାୟକ ଏବଂ ରାକେଶ କୁମାର ଦାଶ। ବସନ୍ତ କୁମାର ସାମନ୍ତରାୟଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୋଲିସ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗତ ଶନିବାର ଅଭିଯୋଗକାରୀ ବସନ୍ତ ତାଙ୍କ ବାନ୍ଧବୀଙ୍କ ସହ ଆଇଜି ପାର୍କକୁ ବୁଲିବା ପାଇଁ ଯାଇଥିବାବେଳ ଅଭିଯୁକ୍ତ ଆଶିଷ ଓ ରାକେଶ ଅନ୍ୟ ଦୁଇ ସହଯୋଗୀ ରାଜା ଓରଫ ଜନ୍ମେଜୟ ମଲ୍ଲିକ ଏବଂ ରାଜେଶ ମଙ୍ଗରାଜ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ବସନ୍ତ ନିଜ ମୋବାଇଲ୍ ଫୋନ୍ରେ ଏହାର ଭିଡିଓ ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିବାବେଳେ ଅଭିଯକ୍ତମାନେ ଛଡ଼ାଇ ନେଇ କ୍ୟାମେରା ଭାଙ୍ଗିଦେବା ସହ ଜୀବନରୁ ମାରିବାକୁ ଧମକ ଦେଇଥିଲେ। ଏହି ସମୟରେ ପାର୍କର ଦୁଇଜଣ ସୁରକ୍ଷା କର୍ମଚାରୀ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ।