ଭୁବନେଶ୍ୱରରେ IRC ଭିଲେଜର ନାମକରଣ ପଛର କାହାଣୀ କ’ଣ ? ୪ ଦଶନ୍ଧି ପରେ ପୁଣି…

ଭୁବନେଶ୍ୱର,୫।୧୧: ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ଆବାସିକ ଅଞ୍ଚଳ ଭାବେ ପରିଚିତ ଆଇଆରସି (IRC) ଭିଲେଜର ନାମକରଣ ପଛରେ ୪୦ ବର୍ଷ ପୂର୍ବରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମର ଇତିହାସ ରହିଛି।

୧୯୮୨ ମସିହାରେ, ବର୍ତ୍ତମାନର ଆଇଆରସି ଭିଲେଜ ଅଞ୍ଚଳଟି ନୟାପଲ୍ଲୀ ମୌଜା ଅଧୀନରେ ଏକ ଘଞ୍ଚ ଜଙ୍ଗଲ ଥିଲା। ସେହି ସମୟରେ ଏଠାରେ କିଛି ସରକାରୀ କ୍ୱାର୍ଟର୍ସ ନୂଆ କରି ନିର୍ମାଣ କରାଯାଇଥିଲା।

୧୯୮୨ ମସିହାରେ ଇଣ୍ଡିଆନ୍ ରୋଡସ୍ କଂଗ୍ରେସର (Indian Roads Congress – IRC) ୪୩ତମ ଅଧିବେଶନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାର ଇଞ୍ଜିନିୟର ଏବଂ ଅଧିକାରୀ ଯୋଗ ଦେଇଥିଲେ।

ସେତେବେଳେ ଏତେ ସଂଖ୍ୟକ ଅତିଥିଙ୍କ ରହଣି ପାଇଁ ସହରରେ ପର୍ଯ୍ୟାପ୍ତ ହୋଟେଲ୍ କିମ୍ବା ଅତିଥି ଭବନ ନଥିଲା। ତେଣୁ, ସରକାର ନୟାପଲ୍ଲୀ ଓ ଜୟଦେବ ବିହାର ମଧ୍ୟରେ ଥିବା ଏହି ନବନିର୍ମିତ ସରକାରୀ କ୍ୱାର୍ଟର୍ସରେ ପ୍ରତିନିଧିମାନଙ୍କ ରହିବାର ବ୍ୟବସ୍ଥା କରିଥିଲେ।

ପ୍ରାୟ ଏକ ସପ୍ତାହ ଧରି ୨୫୦ଟି କ୍ୱାର୍ଟର୍ସରେ IRC ର ଆଗନ୍ତୁକ ଇଞ୍ଜିନିୟରମାନେ ରହିଥିଲେ। ଏକାଠି ଏତେ ସଂଖ୍ୟକ IRC ପ୍ରତିନିଧି ରହୁଥିବାରୁ ଏହି ଅଞ୍ଚଳଟି IRC ଅତିଥିମାନଙ୍କର ଏକ ‘ଗ୍ରାମ’ (Village) ଭଳି ଲାଗିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ, ସେଠାରେ ରହୁଥିବା ଲୋକମାନେ ସେହି ସ୍ମୃତିକୁ ମନେ ରଖି ଏହି ଅଞ୍ଚଳକୁ ‘ଆଇଆରସି ଭିଲେଜ’ ବୋଲି ଡାକିବା ଆରମ୍ଭ କଲେ।

ସମୟକ୍ରମେ ଏହି ନାମଟି ସ୍ଥାୟୀ ହୋଇଗଲା ଏବଂ ଜଙ୍ଗଲ ଥିବା ଏହି ଅଞ୍ଚଳଟି ଏବେ ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଆବାସିକ ତଥା ବାଣିଜ୍ୟିକ କେନ୍ଦ୍ରରେ ପରିଣତ ହୋଇଛି, ଯେଉଁଠାରେ ସ୍କୁଲ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିଛି।

ଏହି ଐତିହାସିକ ନାମକରଣ ସହିତ ଜଡ଼ିତ ଭାରତୀୟ ରୋଡସ୍ କଂଗ୍ରେସ (ଆଇଆରସି) ଆସନ୍ତା ନଭେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି। ଜନତା ମଇଦାନରେ ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ଯନ୍ତ୍ରୀ ଓ ବିଶେଷଜ୍ଞମାନେ ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ସଜାଯାଉଛି। ଖାଲଖମା ଥିବା ରାସ୍ତାଗୁଡ଼ିକୁ ମରାମତି କରାଯାଇ ଚକାଚକ୍ କରାଯିବା ସହ ସମଗ୍ର ରାଜଧାନୀରେ ସଫେଇ ଏବଂ ସାଜସଜ୍ଜା କାର୍ଯ୍ୟ ଜୋରସୋରରେ ଚାଲିଛି।