ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ କାଳବୈଶାଖୀର କରାଳ ରୂପ ଲାଗି ରହିଛି। ଶନିବାର ସନ୍ଧ୍ୟାରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝଡବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହେଉଛି। ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଥିବା ସମୟରେ କରାମାଡ ଯୋଗୁ ସେହି ଧାନ ଫସଲ ଉଜୁଡି ଯାଇଛି। ଏଥିପାଇଁ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡିଛି। ସେହିପରି ଝଡବର୍ଷା ଯୋଗୁ ସା ପ୍ରାୟ ୫ଟା ୩୦ମିନିଟରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ ପଡିଛି। ଖବର ଲେଖା ହେବା ସୁଦ୍ଧା (ରାତି ୯ଟା ପର୍ଯ୍ୟନ୍ତ) ବିଦ୍ୟୁତ ସେବା ସ୍ବାଭାବିକ ହୋଇ ପାରି ନାହିଁ। ଫଳରେ ସହର ସମେତ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି।
ଚଳିତ ସପ୍ତାହରେ ବାରମ୍ବାର ଏଭଳି ଝଡବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ୨ଦିନ ପୂର୍ବରୁ ଭଟଲି ବ୍ଲକ ଅନ୍ତର୍ଗତ ହଳଦୀପାଲି ଗ୍ରାମରେ କାଳବୈଶାଖୀ ପ୍ରଭାବରୁ ହୋଇଥିବା କରାମାଡରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ତେବେ ତାର କ୍ଷୟକ୍ଷତି ଆକଳନ ଠିକ ଭାବରେ ନ ସରୁଣୁ ଶନିବାର ପୁଣି ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତର ଜୟପୁର, ଝିକିଝିକି, କହେନମୁଣ୍ଡା, ଗୌରପାଲି, ନାରଙ୍ଗପୁର, ବିଛୁଆଁ, କାଶିପାଲି, ସାନ ଅମ୍ଳିପାଲି ଗ୍ରାମରେ ପ୍ରବଳା କରାମାଡ଼ ଯୋଗୁଁ ଧାନଫସଲ ସହିତ ପରିବା ଫସଲ ଉଜୁଡି ଯାଇଛି। ଉପରୋକ୍ତ ପଞ୍ଚାୟତରେ ଗଭୀର ନଳକୂପ ଯୋଗେ ହଜାର ହଜାର ଏକର ଧାନ ତଥା ପରିବା ଚାଷ ହୋଇଥଲା। ଏହି ଅଦିନିଆ ବର୍ଷା ସହିତ କରାମାଡ଼ରେ ସେସବୁ ଧୂଳିସାତ୍ ହେବା ଆଶଙ୍କା ରହିଛି । ଧାନ କେଣ୍ଡାରେ କୁଆପଥର ମାଡ ହେବାରୁ ତାହା ଝଡ଼ି ପଡ଼ିଛି। ସେହିପରି ଧାନକେଣ୍ଡାରେ ଯାହା ବି ରହିଛି, ତାହା ଅଗାଡି ହେବାର ଯଥେଷ୍ଟ ଆଶଙ୍କା ସୃଷ୍ଟି କରିଛି । ଏହା ଚାଷୀଙ୍କ ପାଇଁ ଚଡକ ଭଳି ହୋଇଛି । ଏଭଳି ପ୍ରାକୃତିକ ଦୂର୍ବିପାକ ଯୋଗୁ ଧାନଫସଲ ସହିତ ପନିପରିବାଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ତାହାର ଶୀଘ୍ର ଆକଳନ କରାଯାଇ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବା ପାଇଁ ନାରଙ୍ଗପୁର ସରପଞ୍ଚ ପିଙ୍କି ପାଣ୍ଡେ ସମେତ ଚାଷୀମାନେ ଦାବି କରିଛନ୍ତି । ତେବେ କେବଳ ନାରଙ୍ଗପୁର ପଞ୍ଚାୟତ ନୁହେଁ, ଜିଲାର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ଯୋଗୁଁ ଧାନ, ପରିବା ଫସଲ ପ୍ରଭାବିତ ହୋଇଛି। ପ୍ରଶାସନ ଏହାର ସଠିକ ଆକଳନ ସହିତ କ୍ଷତିପୂରଣ ଏବଂ ବୀମା ସହାୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ଜୋର୍ ଧରିଛି।