ବଡ଼ଲୋକଙ୍କ ବଡ଼ପଣ

ନିଜ ପ୍ରତିଷ୍ଠା, ପ୍ରାଚୁର୍ଯ୍ୟ ଓ ପ୍ରତିପତ୍ତିରେ ସମାଜଠୁଁ ବଡ଼ଲୋକର ମାନ୍ୟତା ହାସଲ କରିଥିବା ବହୁ ବ୍ୟକ୍ତିଙ୍କ ବହୁବିଧ ଛୋଟପଣ ପ୍ରତ୍ୟକ୍ଷ କରିସାରି ମନ ବିଷେଇ ଉଠୁଥିଲା ବେଳେ ଯଦି କେବେ କେଉଁ ବଡ଼ଲୋକଙ୍କ ବଡ଼ପଣ କାନରେ ପଡ଼େ, ତେବେ ଏକ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇ ଯାଏ ହୃଦୟ। ସେଇ ବଡ଼ଲୋକ ଜଣଙ୍କୁ ଶତ ପ୍ରଣିପାତ କରିବାକୁ ମନରେ ଇଚ୍ଛା ଜାଗେ। ସକଳ ବିଘଟନ ସତ୍ତ୍ୱେ ଏ ସଂସାର ତଥାପି ଅପରିବର୍ଜନୀୟ ବୋଲି ମନରେ ବିଶ୍ୱାସ ଜନ୍ମେ। ଏହି ମନସ୍ତାତ୍ତ୍ୱିକ ଦିଗଟିକୁ ଅଧିକ ବିସ୍ତାରିତ କରିବାକୁ ଆମ ସାମାଜିକ ଜୀବନରେ ସଂଘଟିତ ଦୁଇଟି ସମାନ ପ୍ରକାର ଘଟଣାକୁ ଅନୁଧ୍ୟାନ କରାଯାଉ ଓ ଲକ୍ଷ୍ୟ କରାଯାଉ ବ୍ୟକ୍ତିର ମନସ୍ତତ୍ତ୍ୱରେ ଏହାର ପ୍ରଭାବକୁ।
ପ୍ରଥମ ଘଟଣାଟି ଆମ ରାଜ୍ୟର, ପ୍ରାୟ କୋଡ଼ିଏ ବର୍ଷ ତଳର। ରାଜ୍ୟ ପ୍ରଶାସନର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସରକାରୀ କାର୍‌ରେ ଆସୁଥିଲେ ତାଙ୍କ କଟକ ଅଫିସରୁ ରାଜଧାନୀ ଭୁବନେଶ୍ୱର। ଗାଡ଼ି ଛାଡ଼ିବାର କିଛି ସମୟ ପରେ ସେ ଲକ୍ଷ୍ୟକଲେ ଗାଡ଼ିର ଡ୍ରାଇଭର ରହି ରହି କାଶୁଛି। ସାମାନ୍ୟ ସର୍ଦ୍ଦିରୋଗରେ ଆକ୍ରାନ୍ତ ଥିବା ଡ୍ରାଇଭରକୁ ହଠାତ୍‌ ଗାଡ଼ି ଫେରାଇବାକୁ ନିର୍ଦ୍ଦେଶ ଦେଲେ ହାକିମ ଓ ଅଫିସରେ ପହଞ୍ଚତ୍ ଅନ୍ୟ ଏକ ଡ୍ରାଇଭରକୁ ଧରି ଭୁବନେଶ୍ୱର ଆସିଲେ। ବର୍ଷେ ପରେ ଅବସର ନେବାକୁ ଯାଉଥିବା ତାଙ୍କ ନିୟମିତ ଡ୍ରାଇଭରଙ୍କୁ ବୁଝିବା ବିଳମ୍ବ ହେଲାନାହିଁ ଯେ ପ୍ରକୃତି ପ୍ରଦତ୍ତ ଥଣ୍ଡାବ୍ୟାଧିଟି ପାଇଁ ତାଙ୍କୁ ତାଙ୍କ ମୁନିବ ପରିତ୍ୟାଗ କରିଛନ୍ତି। ମନେ ମନେ ଭାଳିହେଲେ-”ଡ୍ରାଇଭର ଭଳି ଛୋଟଲୋକଟିଏ ବୋଲି ସିନା ମୁଁ କର୍ମଚ୍ୟୁତ ହୋଇଗଲି। ତେବେ ବାବୁଙ୍କ ଭଳି ବଡ଼ଲୋକମାନେ କ’ଣ ରୋଗବ୍ୟାଧିରୁ ମୁକ୍ତ? ତାଙ୍କୁ କ’ଣ ଥଣ୍ଡା ସର୍ଦ୍ଦି ଅବା କାଶ କେବେ କବଳିତ କରିନାହିଁ? ସେତେବେଳେ ତ ମୁଁ ତାଙ୍କୁ ଗାଡ଼ିରେ ନେଇ ଯିବା ପାଇଁ କେବେ ଅସ୍ବୀକାର କରିନାହିଁ! ହାକିମ ଓ ଡ୍ରାଇଭରଙ୍କ ସମ୍ପର୍କର ଭିନ୍ନ ପରିଭାଷାର ଅନ୍ୟ ଏକ ଦୃଷ୍ଟାନ୍ତ ପ୍ରସଙ୍ଗରେ ଏବେ ଆଖି ପକାଇବା ଦ୍ୱିତୀୟ ଘଟଣାଟି ଉପରେ।
ଘଟଣାଟି ପ୍ରାୟ ପାଞ୍ଚବର୍ଷ ତଳର। ଘଟିଛି କର୍ନାଟକର କୁରୁର ଜିଲାରେ। ଡ୍ରାଇଭର ଭାବେ ପ୍ରାୟ ବାରଜଣ ଜିଲାପାଳଙ୍କ ସାରଥି ହୋଇଥିଲେ ପରାମି ଶିବମ୍‌। ଛତିଶବର୍ଷ କାର୍ଯ୍ୟ ସମ୍ପାଦନ ପରେ ଅବସର ନେଲେ। ତାଙ୍କ ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଲା। ଜିଲାପାଳ ତାଙ୍କୁ ବିଦାୟ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କଲେ। ସମସ୍ତଙ୍କଠୁଁ ବିଦାୟ ନେଇ ସେ ନିଜ ଘରକୁ ବାହୁଡ଼ିବାର ଉପକ୍ରମ କରୁଥିଲା ବେଳେ ତାଙ୍କୁ ଅପେକ୍ଷା କରୁଥିଲା ତାଙ୍କ ଜୀବନର ପରମତମ ଆଶ୍ଚର୍ଯ୍ୟ। ଯେଉଁ ଗାଡ଼ିଟି ଚଳାଇ ସେ ପ୍ରତିଦିନ ଜିଲାପାଳଙ୍କୁ ନେବା ଆଣିବା କରୁଥିଲେ, ସେଇ ଗାଡ଼ିର ଷ୍ଟିୟରିଂ ଧରି ବସି ରହିଥିଲେ ଖୋଦ ଜିଲାପାଳ ଟି. ଆନ୍‌ବାଝାଗନ। ସେ ଶିବମ୍‌କୁ ପଛ ସିଟ୍‌ରେ ବସିବାକୁ କହିଲେ, ଯେଉଁଠି ସେ ସବୁଦିନେ ବସି ଅଫିସ ଆସୁଥିଲେ। ଏଭଳି ବିଚିତ୍ର ଆଦେଶ ପାଳନ କରିବାକୁ ଅମଙ୍ଗ ହେବାରୁ କଲେକ୍ଟର ବୁଝାଇଦେଲେ- ”ଗତ ଛତିଶବର୍ଷ ଧରି ନିରବଚ୍ଛିନ୍ନ ଭାବେ ମୋ ଭଳି ବାରଜଣ କଲେକ୍ଟରଙ୍କୁ ତୁମେ ଗାଡ଼ିରେ ବସାଇ ନେଉଥିଲ। ସେମାନଙ୍କର ଜଣେ ପ୍ରତିନିଧି ଭାବେ ଆଜି ପ୍ରଥମ ଓ ଶେଷଥର ପାଇଁ ମୁଁ ତୁମକୁ ନେଇ ତୁମ ଘରେ ଛାଡ଼ିଦେଇ ଆସିବି।“
ଆଖିରୁ ଲୁହ ଝରାଇ ଛିଡ଼ା ହୋଇଥିଲେ ଶିବମ୍‌। ଏହି ଅପୂର୍ବ ଦୃଶ୍ୟଟିକୁ ଅବଲୋକନ କରୁଥିଲେ ଅଫିସ୍‌ର ଅନ୍ୟ କର୍ମଚାରୀ। କେବଳ କୁରୁର ଜିଲା ପ୍ରଶାସନର ଇତିହାସରେ ନୁହେଁ, ଉଚ୍ଚ ପଦବୀଧାରୀ ବଡ଼ଲୋକଙ୍କ ଅଧସ୍ତନ କର୍ମଚାରୀଙ୍କ ପ୍ରତି ଆଚରଣର ଇତିହାସରେ ଯୋଡ଼ିହୋଇ ଯାଇଥିଲା ନିଚ୍ଛକ ମାନବତାର ଏକ ଉଜ୍ଜ୍ୱଳ ଅଧ୍ୟାୟ। ରାଜରାଜୁଡ଼ା ଯୁଗର ଅବସାନ ପରେ ବି ଏଠି ଯେଉଁଠି ବଡ଼ଲୋକ ବୋଲାଉଥିବା ହାକିମମାନଙ୍କ ସାମନ୍ତବାଦୀ ଆଚରଣର ନଗ୍ନ ନମୁନା ଆଦୌ ବିରଳ ନୁହେଁ, ଯେଉଁଠି ହାକିମଙ୍କ କାର୍‌ ଅଟକିଲା ମାତ୍ରେ, ତାହାର ଦ୍ୱାର ଖୋଲିଦେବା ପାଇଁ ସେବକଟିଏ ଛିଡ଼ାହୋଇ ରହିବା ତାଙ୍କ ସମ୍ଭ୍ରାନ୍ତପଣ ପାଇଁ ଏକ ବାଞ୍ଛିତ ସମ୍ମାନ, ସେଠି ଆନ୍‌ବାଝାଗନମାନଙ୍କ ବଡ଼ପଣ ଏକ ବିରଳ ବ୍ୟତିକ୍ରମ!
ଆମ ଦେଶ ବାହାରର ଆଉ ଏକ ବିରଳ ଦୃଷ୍ଟାନ୍ତ। ଏପରି ଚମକପ୍ରଦ ଘଟଣା ପ୍ରାୟତଃ ସଚରାଚର ଆଖିରେ ପଡ଼େନାହିଁ। ଆଉ ଯେତେବେଳେ ପଡ଼େ ସେତେବେଳେ ଏକ ଅନିର୍ବଚନୀୟ ଅଫୁରନ୍ତ ଆନନ୍ଦରେ ହୃଦୟ ପୂରିଉଠେ। ବଡ଼ଲୋକଙ୍କ ବଡ଼ପଣ ଆଗରେ ସ୍ବତଃ ମୁଣ୍ଡ ନଇଁଯାଏ। ଏକଦା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌ସନ ଏକ ଜରୁରୀ କାର୍ଯ୍ୟ ପାଇଁ ତାଙ୍କର ଅନ୍ୟତମ ସହଯୋଗୀ ଗଲ୍‌ବ୍ରେଥଙ୍କୁ ଟେଲିଫୋନ୍‌ କଲେ। କାର୍ଯ୍ୟଟି ଅତ୍ୟନ୍ତ ଗୋପନୀୟ ହୋଇଥିବାରୁ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ସମ୍ପୃକ୍ତ ନ କରି ନିଜେ ଫୋନ୍‌ କଲେ। ଅପରପଟରୁ ଫୋନ୍‌ ଧରିଲେ ବ୍ରେଥଙ୍କ ଘରୋଇ ଅର୍ଦ୍ଦଳି। ଗଲବ୍ରେଥ ସେତେବେଳେ ବିଶ୍ରାମ ନେଉଥିବାରୁ ତାଙ୍କୁ ଉଠାଇବା ପାଇଁ ଆଦେଶ ନାହିଁ ବୋଲି ସେ ଜଣାଇଦେଲେ। ରାଷ୍ଟ୍ରପତି ଜନ୍‌ସନ ନିଜର ପରିଚୟ ଦେଲେ ଓ ଅତ୍ୟନ୍ତ ଜରୁରୀ ଆବଶ୍ୟକ ଥିବାରୁ ତାଙ୍କ ସାହେବଙ୍କୁ ଫୋନ ପାଖକୁ ଡାକିବାକୁ ସେ ସେବକଟିକୁ କହିଲେ। ଆମେରିକାର ସବୁ ମୁନିବଙ୍କ ମୁନିବଙ୍କୁ ଏଥର ସ୍ପଷ୍ଟ ଶୁଣାଇଦେଲେ ସେଇ ଅର୍ଦ୍ଦଳି- ମୁଁ ଗଲବ୍ରେଥଙ୍କ କର୍ମଚାରୀ ଆପଣଙ୍କର ନୁହେଁ।
ସାଧାରଣ ଭାବେ ଆଶା କରିବା କଥା, ସେବକଟିର ଏହି ଔଦ୍ଧତ୍ୟରେ ଅପମାନିତ ରାଷ୍ଟ୍ରପତି ଜନ୍‌ସନ ତାଙ୍କ ପ୍ରତି ଉଚିତ ଶାସ୍ତିବିଧାନ କରିଥାନ୍ତେ। ନିଦରୁ ଉଠି ନିଜ ଅର୍ଦ୍ଦଳି ପାଖରୁ ସବୁ ଶୁଣି ଗଲ୍‌ବ୍ରେଥ ମଧ୍ୟ ଏହା ହିଁ ଆଶା କରୁଥିଲେ। ମାତ୍ର ଜନ୍‌ସନଙ୍କ ଭଳି ବଡ଼ଲୋକଙ୍କ ମହଙ୍ଗା ବଡ଼ପଣ ସମ୍ପର୍କରେ ସାରା ଜଗତ ଜାଣିଲା, ଯେତେବେଳେ ଗଲବ୍ରେଥ ରାଷ୍ଟ୍ରପତିଙ୍କୁ ଫୋନ କରି ତାଙ୍କ ସେବକଟିର ବିଶୃଙ୍ଖଳିତ ଆଚରଣ ପାଇଁ କ୍ଷମା ମାଗୁଥିଲେ ସେତେବେଳେ ତାଙ୍କୁ ଚମକାଇ ଦେଇ ଜନ୍‌ସନ କହିଲେ- ”ଏତେ ବିଶ୍ୱସ୍ତ ଆଜ୍ଞାବହ ଯେଉଁ ଦେଶରେ ଅଛନ୍ତି, ସେଇ ଦେଶର ରାଷ୍ଟ୍ରପତି ଭାବେ ମୁଁ ଗର୍ବିତ।“ ଟିକିଏ ରହି ଜନ୍‌ସନ ପୁଣି କଥା ଯୋଡ଼ିଲେ, ”ତୁମେ ତୁମର ସେଇ ସେବକଟିକୁ ମୋତେ ଦିଅନ୍ତ କି ଗଲବ୍ରେଥ! ମୁଁ ତାଙ୍କୁ ମୋ ପାଖରେ ରଖିବାକୁ ଚାହୁଁଛି।“
ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ପଦବୀରେ ରହି ବି ଜଣେ କେଡ଼େ ଅହଂକାରଶୂନ୍ୟ ହୋଇପାରନ୍ତି, ତାହା ହିଁ ତାଙ୍କର ବଡ଼ପଣ। ଅଳ୍ପଦିନ ତଳେ ଆମ ରାଜ୍ୟର ଏକ ପ୍ରମୁଖ ଜିଲାର ଜିଲାପାଳ ତାଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଜଣେ ସରକାରୀ ପିଅନଙ୍କ ସାମାନ୍ୟ ତ୍ରୁଟି ପାଇଁ ତାଙ୍କୁ ଏମତି ନିର୍ଯାତନା ଦେଇଥିଲେ ଯେ କର୍ମଚାରୀ ଜଣକ ଶେଷରେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ତାଙ୍କ ଦୁଃଖ ବୟାନ କରିଥିଲେ। ସେ ଯଦି ଥରେ ଭାବିଥାନ୍ତେ, ଯେଉଁ ପଦବୀ ପାଇଁ ତାଙ୍କର ଏହି ବଡ଼ଲୋକର ଅହଂକାର ସେଇ ପଦବୀ ଦିନେ ଚାଲିଯିବ ଓ ତାଙ୍କୁ ସମାଜ ଆଉ ବଡ଼ଲୋକରେ ଗଣିବନାହିଁ!
ଏମିତି କିନ୍ତୁ ଭାବୁଥିଲେ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ। ତାଙ୍କ ଆବାସିକ କାର୍ଯ୍ୟାଳୟରେ ନିୟୋଜିତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥରେ କାର୍ଯ୍ୟାଳୟ କକ୍ଷଟି ଓଳାଉଥିଲା ବେଳେ ତାଙ୍କ ଅସାବଧାନତାରୁ କାଳି ଦୁଆତଟି ତଳେ ପଡ଼ି ଭାଙ୍ଗିଗଲା। ଦୁଆତଟି ସହିତ ତଳକୁ ପଡ଼ି ସମ୍ପୂର୍ଣ୍ଣ ଭାବେ କାଳିରେ ଭିଜି ନଷ୍ଟ ହୋଇଗଲା ଡକ୍ଟର ପ୍ରସାଦ ଲେଖିଥିବା ଏକ ଜରୁରୀ ନୋଟ୍‌୍‌ଶିଟ୍‌ ।
ପିଅନ ଜଣକ ଆତଙ୍କିତ ହୋଇପଡ଼ିଲେ। ସେହି କକ୍ଷକୁ ପଶିଆସିଲେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ସବୁ କଥା ଲକ୍ଷ୍ୟ କଲେ। ପିଅନଟିକୁ ଚାହିଁ ଅତ୍ୟନ୍ତ ସହଜ ଭାବରେ କହିଲେ ଦୁର୍ଘଟଣା ସବୁବେଳେ ଅଚାନକ ହୋଇଥାଏ। ସେଥିପାଇଁ ଏତେ ବ୍ୟସ୍ତ କାହିଁକି? ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ପିଠି ଥାପୁଡ଼ାର ସ୍ପର୍ଶ ପାଇ ସେ କଇଁ କଇଁ ହୋଇ କାନ୍ଦି ଉଠିଲେ।
ବଡ଼ ଲୋକଙ୍କ ବଡ଼ପଣର ଏହି ପଟାନ୍ତରବିହୀନ ଦୁଇ ରାଷ୍ଟ୍ରପତିଙ୍କ ଦୃଷ୍ଟାନ୍ତ କାଳ କାଳକୁ ସେମାନଙ୍କୁ ଜନସ୍ମୃତିରେ ସଞ୍ଜୀବିତ କରିରଖିଛି। ଉଚ୍ଚ ପଦବୀରେ ଆସୀନ ସଭିଙ୍କ ଉଚ୍ଚତା ଆପେ ଆପେ ବଢ଼ିଯାଏ ନାହିଁ। ସେଥିପାଇଁ ଲୋଡ଼ାପଡ଼େ ଆତ୍ମପ୍ରେରିତ ବଡ଼ପଣ। ପଦପଦବୀ, ପ୍ରତିଷ୍ଠା, ପ୍ରତିପତ୍ତି ଆଦି ଯେତେ ଯାହା ବଡ଼ଲୋକଙ୍କର ପରିମାପକ ତାହା ସାମୟିକ। ଆଜି ଅଛି କାଲିକୁ ନାହିଁ। ମାତ୍ର ଯାହା ନିତ୍ୟ ନୂତନ ସଦା ଚିରନ୍ତନ ତାହା ହେଉଛି ମଣିଷର ଅନ୍ତର୍ନିହିତ ମାନବତା, ହୃଦୟବତ୍ତା ଓ ଅପର ପାଇଁ ସମ୍ମାନବୋଧ। ଏତକ ନ ଥିଲେ ବଡ଼ଲୋକରେ ଗଣାହେବେ ସିନା ବଡ଼ପଣବିହୀନ ବ୍ୟକ୍ତିସତ୍ତା ପାଇଁ ନା ଥିବ କାହାର ସମ୍ମାନ ନା ଥିବ ସମାଜର ସ୍ବୀକୃତି।
ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri