ଖୋଲୁନି ସରକାରୀ ଧାନମଣ୍ଡି

ରୂପସା, ୨୬ା୧୨(ଡି.ଏନ.ଏ.) ଚଳିତବର୍ଷ ଏଯାବତ୍‌ ସରକାରୀ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଧାନର ଅଭାବୀ ବିକ୍ରି ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବୁଧବାର ବାଲେଶ୍ୱର ଜିଲା ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ଚେତାବନୀ ଦିଆଯାଇଛି।
ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ସରକାର ତୁରନ୍ତ ଧାନମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ କ୍ରୟ ଆରମ୍ଭ କରିବା, କଟ୍‌ନୀ ଛଟନୀ ବନ୍ଦ କରିବା, ଚାଷୀଙ୍କୁ ଅଖା ବାବଦ ଟଙ୍କା ଫେରାଇବା, ଟୋକନର ଅବଧିକୁ ୨ମାସ ବୃଦ୍ଧି, ବାତ୍ୟା ଓ ଚକଡା଼ ପୋକ କ୍ଷୟକ୍ଷତି ପାଇଁ ଏକର ପିଛା ୨୦ ହଜାର ଟଙ୍କା ସହାୟତା ପ୍ରଦାନ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କାକୁ ବୃଦ୍ଧି ପାଇଁ ଦାବି ହୋଇଥିଲା। ଧାନ କିଣିବାକୁ ସରକାର ୧୫ତାରିଖ ସୁଦ୍ଧା ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚାଷୀମାନେ ଟୋକନ୍‌ ପାଇ ବସିଛନ୍ତି। ମାତ୍ର ବସ୍ତାର ୧୨ଟି ଯାକ ସମବାୟ ସମିତି ମଣ୍ଡି ନ ଖୋଲିବାରୁ ଚାଷୀ ଅଭାବୀ ଧାନ ବିକ୍ରି କରି ଆର୍ଥତ୍କ ଅନଟନ ମଧ୍ୟକୁ ଠେଲି ହୋଇଯାଉଛନ୍ତି। ପ୍ରାୟ ୧୦ ହଜାର ଚାଷୀ ସମିତିରେ ନାମ ପଞ୍ଜିକରଣ କରି ଟୋକନ ପାଇଥିଲେ ମଧ୍ୟ ଧାନ ବିକି ନ ପାରି ହନ୍ତସନ୍ତ ହେଉଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ସାଧାରଣ ସମ୍ପାଦକ ସୁଧାଂଶୁ ଯେନା, ସମିତିସଭ୍ୟ ରବୀନ୍ଦ୍ର ଦାସ, ସରପଞ୍ଚ ପ୍ରଣତୀ ସାହୁ, ଅନୀଲ ମହାପାତ୍ର, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ନାୟକ ଓ ମଦନମୋହନ ଯେନା, ମନୋଜ ମହାନ୍ତି, ସୁକାନ୍ତି ଭକ୍ତା, ନରେନ୍ଦ୍ର ଦାସଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।