ଲୋନ୍‌ ନାଁରେ ୭୫ ଲକ୍ଷ ଟଙ୍କା ଚଳୁ କରିଛନ୍ତି ପୂର୍ବତନ ମ୍ୟାନେଜର, ଥାନାରେ ମାମଲା

ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁରର ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ଛତ୍ରପୁର ଶାଖାରେ ଲୋନ୍‌ ନାଁରେ ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ପୂର୍ବତନ ମ୍ୟାନେଜର ଚଳୁ କରିଛନ୍ତି। ଏ ନେଇ ଛତ୍ରପୁର ଥାନା ଏକ ମାମଲା ରୁଜୁ ହୋଇଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍‌ ବେଳେ ଏହା ସାମ୍ନାକୁ ଆସିଛି। ପୂର୍ବତନ ମ୍ୟାନେଜର ଦେବାଶିଷ ପଟ୍ଟନାୟକ ଗତ ବର୍ଷ ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଛତ୍ରପୁର ଶାଖାରେ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ ସେହି ସମୟରେ ମୃତ ବ୍ୟକ୍ତି ନକଲି କାଗଜ ପତ୍ର ତିଆରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏଭଳି ନକଲି କାଗଜ ପତ୍ର କରି ୭୫ ଲକ୍ଷ ୬୬ ହଜାର ଟଙ୍କା ହଡ଼ପ କରିନେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିସିସି ବ୍ୟାଙ୍କ ସମ୍ପାଦକ ଏବଂ ଶାଖା ପରିଚାଳକ ଭରତ କୁମାର ସାହୁ ଛତ୍ରପୁର ଥାନାରେ ଏତେଲା ଦେଇଛନ୍ତି। ଅଭିଯୋଗ ଆସିଥିବା ଦେବାଶିଷ ପଟ୍ଟନାୟକ ବିଜିପୁର ଶାଖାରେ ଟଙ୍କା ହଡ଼ପ ମାମଲାରେ ବର୍ତ୍ତମାନ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି
କିଛି ଦିନ ତଳେ ବିଜିପୁର ଶାଖାରେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ସମସ୍ତ କାରବାର ନେଇ ଅଡିଟ୍‌ବ୍ୟାଙ୍କ ବାଲାନ୍ସ ସିଟ୍‌ରେ ଫରକ ଦେଖିବାକୁ ମିଳିଥିଲା। ପ୍ରାୟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା କମ୍‌ ରହିଥିଲା । ଏହାର ତଦନ୍ତ ପରେ ଜଣା ପଡ଼ିଥିଲା ବିଭିନ୍ନ ଲୋନ୍‌ ନାଁରେ ମିଥ୍ୟା କାଗଜପତ୍ର କରି ମୋଟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ହେର୍‌ଫେର୍‌ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଅଧିକ ଖୋଳତାଡ଼ କରିବା ସେହି ସମୟରେ ବ୍ୟାଙ୍କରେ ଦାୟିତ୍ୱରେ ରହିଥିବା ଶାଖା ପରିଚାଳକ ମୁଖ୍ୟ ଅଭିଯୁକ୍ତ ଦେବାଶିଷ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀଙ୍କ ବ୍ୟାଙ୍କ ଆଇ.ଡି ବ୍ୟବହାର କରି ଏହିପରି ବ୍ୟାଙ୍କ ଅର୍ଥ ହେର୍‌ଫେର୍‌ କରିଥିଲେ ଏହାପରେ ଦେବାଶିଷଙ୍କୁ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ୩୧ରେ ସସ୍‌ପେଣ୍ଡ୍‌ କରାଯାଇଥିଲା । ଦେବାଶିଷଙ୍କ ସମେତ ୩ ଜଣଙ୍କ ନାଁରେ ଜାନୁଆରୀ ୧୭ରେ ଥାନାରେ ଏତଲା ଦିଆଯାଇଥିଲା। ସେଥିରୁ ଦେବାଶିଷଙ୍କ ସମେତ ଦୁଇଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ତେବେ ଛତ୍ରପୁର ଶାଖାରେ ଏଭଳି ହେର୍‌ଫେର୍‌ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଚଲାଇଛି।