ବଲାଙ୍ଗୀର, ୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନବିଭାଗ ପକ୍ଷରୁ ମଙ୍ଗଳବାର ତୁଳସୀନଗର ଦୁର୍ଗାମଣ୍ଡପରୁ ଶାଗୁଆନ ଗଣ୍ଡି ଜବତ ହୋଇଛି। ଏହି ସଂକ୍ରାନ୍ତରେ ବଲାଙ୍ଗୀର ରେଞ୍ଜରେ ଏକ ମାମଲା (୧୩/୨୫-୨୬) ରୁଜୁ କରିଛି । ଏହି ଚଢାଉ ଅଭିଯାନରେ ବଲାଙ୍ଗୀର ବନବିଭାଗ ଟିମ ସାମିଲ ଥିଲା । ତୁଳସୀନଗର ଦୁର୍ଗାମଣ୍ଡପରୁ ପ୍ରାୟ ୫୦ ହଜାର ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବଲାଙ୍ଗୀର ଡିଏଫଓ ଅଜିତ ବିଶିଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ବଲାଙ୍ଗୀର ରେଞ୍ଜ କର୍ମଚାରୀମାନେ ଦୁର୍ଗା ମଣ୍ଡପରେ ଚଢାଉ କରିଥିଲେ । ସେଠାରୁ ୪ଟି ଶାଗୁଆନ ଗଣ୍ଡି ଜବତ କରିଥିଲେ । ସୂଚନା ଅନୁଯାୟୀ, ବଲାଙ୍ଗୀର ମହାରାଣୀ ସାଗର ଆଡ଼ିବନ୍ଧ ନିକଟରେ ବିଭିନ୍ନ ପ୍ରକାର ବଡ଼ ପୁରୁଣା ଗଛ ଥିବାବେଳେ ସେଥିମଧ୍ୟରୁ ଏକ ପୁରୁଣା ଶାଗୁଆନ ଗଛକୁ କାଟି ଦେଇ ତାର ଗଣ୍ଡିକୁ ତୁଳସୀ ନଗର ଦୁର୍ଗାମଣ୍ଡପଠାରେ ଲୁଚାଇ ରଖିଥିବା ବନ ବିଭାଗକୁ ବିଶସ୍ତ ସୂତ୍ରରୁ ଖବର ମିଳିଥିଲା । ବଲାଙ୍ଗୀର ଡିଏଫଓଙ୍କ ନିର୍ଦ୍ଦେଶ ପରେ ବନବିଭାଗ ପକ୍ଷରୁ ଚଢାଉ କରି ଶାଗୁଆନ କାଠ ଜବତ କରାଯାଇଥିଲା l ବଲାଙ୍ଗୀର ଜିଲାରେ କାଠ ମାଫିଆ ଏବଂ କାଠ ଚୋରଙ୍କୁ ସାବାଡ କରିବା ପାଇଁ ବଲାଙ୍ଗୀର ବନବିଭାଗ ପକ୍ଷରୁ ଆଗକୁ ମଧ୍ୟ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବନବିଭାଗର ମୋ ସବୁଜ ବଲାଙ୍ଗୀର ଆପ୍ ଇନଷ୍ଟଲ କରି ବନ ବିଭାଗକୁ ଗୋପନୀୟ ସୂଚନା ଦେବା ସହ ଗଛର ସୁରକ୍ଷା ଦିଗରେ ଭାଗିଦାରୀ ହେବାକୁ ଡିଏଫଓ ବିଶି ଆହ୍ବାନ ଜଣାଇଛନ୍ତି । ଏହି ଗଛ କଟାରେ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।