ନୀଳଗିରି ସର୍ଣ୍ଣଚୁଡ଼ ପାହାଡ଼ରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ନାକେଦମ ହେଲାଣି…

ନୀଳଗିରି,୩।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ସର୍ଣ୍ଣଚୁଡ଼ ପାହାଡ଼ରେ  ନିଆଁଲାଗି ଅନେକ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମିଭୂତ ହୋଇଯାଇଛି। ପବନର ବେଗ ବଢିବା ସହ ନିଆଁ ବ୍ୟାପିବାରେ ଲାଗିଥିଲା। ନିଆଁର ପ୍ରକୋପ ଏତେ ଅଧିକ ହୋଇଥିଲା ଯେ ଅଗ୍ନିଶମ ବାହିନୀଙ୍କୁ ଲିଭାଇବା ପାଇଁ କଷ୍ଟସାଧ୍ୟ ହୋଇଥିଲା। ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ନୀଳଗିରି ସର୍ଣ୍ଣଚୁଡ଼ ପାହାଡ଼, କୁଲଡ଼ିହା ଅଭୟାରଣ୍ୟ ଓ ଅଭୟାରଣ୍ୟ ପାଦଦେଶ ଅଞ୍ଚଳ, ତିନିକୋଶିଆ ଏବଂ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳେ। ବିଶେଷକରି ଶୁଖିଲାପତ୍ରରେ ନିଆଁ ଲାଗିବା ଯୋଗୁ ହୁତୁହୁତୁ ହୋଇ ଜଳୁଥିବା ଜଙ୍ଗଲନିଆଁ ବନବିଭାଗକୁ ଲିଭାଇବାପାଇଁ ନାକେଦମ ହେବାକୁ ପଡ଼ିଥାଏ।
ସୂଚନାନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନରେ ନୀଳଗିରି ମଙ୍ଗଳାମନ୍ଦିର ପଛପଟରେ ଥିବା ସର୍ଣ୍ଣଚୁଡ଼ ପାହାଡ଼ ପାଦଦେଶରେ ନିଆଁଲାଗି ପାହାଡ ଉପରକୁ ବ୍ୟାପୁଥିଲା। ଏହି ସମୟରେ ନିଆଁର ପ୍ରକୋପ ଏତେ ଭୟଙ୍କର ରହିଥିଲା ଯେ ବଡ଼ବଡ଼ ଗଛ ଏଥିରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବରପାଇ ନୀଳଗିରି ବନବିଭାଗର କର୍ମଚାରୀ ଓ ନୀଳଗିରି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ପାହାଡର ତଳଭାଗରେ ଲାଗିଥିବା ନିଆଁ ଲିଭାଇବାରେ ସଫଳ ହୋଇଥିଲେ ମଧ୍ୟ, ଉପରଭାଗରେ ଲାଗିଥିବା ନିଆଁକୁ ଲିଭାଇବାରେ ସଫଳ ହୋଇ ନ ଥିଲେ। ତେବେ ନିଆଁର ପ୍ରକୋପରେ ବଡ଼ବଡ଼ ଗଛ ସହିତ ଔଷଧୀୟ ଗୁଳ୍ମ ଜଳିଯାଇଥିବା ଦେଖାଯାଇଛି । ଯଦି ପାହାଡ଼ ନିଆଁକୁ ଆୟତ୍ତ କରା ନ ଯାଏ ତେବେ ପାହାଡ଼ରେ ବସବାସ କରୁଥିବା ଅନେକ ବନ୍ୟଜୀବଙ୍କ ଜୀବନ ପ୍ରତି ବିପଦ ଥିବା ପରିବେଶବିତମାନେ ଆଶଙ୍କା କରିଛନ୍ତି।
Dharitri – Odisha’s No.1 Odia Daily