ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦାରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଭୁଜାଲି ମାଡ଼ରେ ୨ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ଶନିବାର ପୂର୍ବାହ୍ନରେ ହାଟପଦାରେ ପୁଣି ଏକ ଆକ୍ରମଣ ଆଶଙ୍କା ଉପୁଜିଥିଲା। ତେବେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଆକ୍ରମଣକୁ ଏଡ଼ାଇ ଦେଇଥିବାବେଳେ ଜଣେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରି ନେଇଥିବା ସୂଚନା ମିଳିଛି।
ସେହିପରି ଶୁକ୍ରବାର ସନ୍ଧ୍ୟାରେ କେହି ନିଆଁ ଲଗାଇ ଦେବାରୁ ହାଟପଦା ନିକଟ ସନ୍ତେଷୀ ମନ୍ଦିର ପାଖ ୨ଘର ଜଳି ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଗୁରୁବାର ହୋଇଥିବା ଗୋଷ୍ଠୀ ସଂଘର୍ଷରୁ ଏଭଳି ଜଳାପୋଡ଼ା ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ ଛକରେ ପୋଲିସ ପଇଁତରା ମାରୁଛି।
ଏହାବ୍ୟତୀତ ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଜଳାପୋଡ଼ା, ପୁଣି ଆକ୍ରମଣ ଯୋଜନା ଭଳି ଘଟଣାକୁ ନେଇ ବରଗଡ଼ ଅଶାନ୍ତ ହୋଇ ପଡ଼ିଥିବାବେଳେ ସହରବାସୀ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି। ଏଭଳି ସ୍ଥିତିରେ ସହରରେ ଦିନରାତି ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହିତ ନିଶା କାରବାରକୁ ଦୃଢ଼ ଭାବେ ଦମନ କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଫ୍ଲାଗମାର୍ଚ୍ଚ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିବା ଅତିରିକ୍ତ ଏସ୍ପି ଶିବ ପ୍ରସାଦ ବିଶ୍ବାଳ କହିଛନ୍ତି।