ଉଗ୍ରରୂପ ନେଲା ଦୁଇଜଣଙ୍କ ଝଗଡ଼ା, ଧସ୍ତାଧସ୍ତି ସମୟରେ…

ବୈଶିଙ୍ଗା,୩୦ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଗ୍ରାମରେ ଶୁକ୍ରବାର ଦୁଇ ଜଣଙ୍କ ଝଗଡ଼ା ଶନିବାର ସନ୍ଧ୍ୟାରେ ପ୍ରତିଆକ୍ରମଣର ରୂପ ନେଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇ ଜଣେ ବୈଶିଙ୍ଗା ଡାକ୍ତରଖାନାରେ ଆଉ ଜଣେ ରୂପ୍‌ସା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ ଯେ, ବାମଡ଼ା ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ଜଗଦୀଶ (୧୯) ଏବଂ ରବୀନ୍ଦ୍ର ସାହୁଙ୍କ ପୁଅ କାଳୁ (୧୨) ଙ୍କ ମଧ୍ୟରେ ଗ୍ରାମ ଛକରେ ଶୁକ୍ରବାର ପୂର୍ବାହ୍ନରେ ଝଗଡ଼ା ହୋଇଥିଲା। ସେହି ସନ୍ଧ୍ୟାରେ ଏନେଇ ଗ୍ରାମସଭାରେ ଆପୋଷ ସମାଧାନ ହୋଇଥିଲା। ହେଲେ ଆଜି ଶନିବାର ସନ୍ଧ୍ୟାରେ କାଳୁଙ୍କ ବାପା ମାଆ ଓ କାଳୁ ସଂଘବଦ୍ଧ ଭାବେ ଜଗଦୀଶ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏଥିରେ ଜଗଦୀଶ ଆହତ ହୋଇଥିବା ବେଳେ ସେ ବୈଶିଙ୍ଗା ଡାକ୍ତରଖାନା ଚିକିତ୍ସିତ ହେବା ସହ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ଅନ୍ୟ ପଟେ ଧସ୍ତା ଧସ୍ତି ଚାଲିଥିବା ବେଳେ ଜଗଦୀଶଙ୍କ ହାତରେ ଥିବା ଟେଷ୍ଟର ବାଜି କାଳୁଙ୍କ ବାପା ରବୀନ୍ଦ୍ର (୪୦)ଙ୍କ ପେଟରେ ବାଜି ପ୍ରବଳ ରକ୍ତସ୍ରାବ ହେବାରୁ ନିକଟସ୍ଥ ରୂପ୍‌ସା ଡାକ୍ତରଖାନାକୁ ନିଆଯାଇଥିଲା। ବୈଶିଙ୍ଗା ପୋଲିସ ଖବରପାଇ ଆହତ ରବୀନ୍ଦ୍ରଙ୍କ ବୟାନ ନେବା ପାଇଁ ରାତି ୮ଟା ସମୟରେ ରୂପ୍‌ସା ଡାକ୍ତରଖାନା ଯାଇଥିବା ଜଣାଯାଇଛି।

Share
Tags: attack