ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ): ମାଲାକ୍କା ଷ୍ଟ୍ରେଟ୍ରେ ସୃଷ୍ଟି ବାତ୍ୟା ‘ସେନୟାର’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହାର ନଁା ରହିଛି ‘ଡିଟ୍ୱା’। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ସେତେଟା ପଡିବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବାତ୍ୟା ‘ଡିଟ୍ଓ୍ବା’ ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦେଇ ଉତ୍ତର-ଉତ୍ତର ପଶ୍ଚିମ ଆଡକୁ ଗତି କରି ଉତ୍ତର ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ପଶ୍ଚିମ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ନଭେମ୍ବର ୩୦ ରବିବାର ଭୋର ସୁଦ୍ଧା ପହଞ୍ଚତ୍ବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଶ୍ରୀଲଙ୍କା ସହ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ।
ଅପରପକ୍ଷେ ସପ୍ତାହେ ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ତିନି ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଅନୁଗୋଳ ଓ ଝାରସୁଗୁଡାରେ ଶୀତ ଲହରି ଦେଖାଦେଇଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ନ୍ୟୁନତମ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିଛି। କନ୍ଧମାଳ ଜିଲା ଜି. ଉଦୟଗିରିରେ ଦିନକରେ ତାପମାତ୍ରା ୨ଡିଗ୍ରୀ ହ୍ରାସ ପାଇ ୫.୪ ଡିଗ୍ରୀରେ ପହଞ୍ଚତ୍ବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।