ଯେ କୌଣସି କାର୍ଯ୍ୟାଳୟରେ ଯାଞ୍ଚ କରିପାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କୋଭିଡ୍‌ ନିୟମର କଡା ଅନୁପାଳନ କରିବାକୁ ହେବ। ମୁହଁରେ ଠିକ୍‌ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ଆଚରଣ ନିୟମିତ ଭାବେ ପାଳନ କରିବାକୁ ହେବ। କୋଭିଡ୍‌ ଗାଇଡ୍‌ଲାଇନ ଠିକ୍‌ ଭାବେ ପାଳନ କରା ନ ଗଲେ ସମ୍ପୃକ୍ତ କର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ରବିବାର ଏହି ସୂଚନା ଜାରି କରାଯାଇଛି।

ସୋମବାରଠାରୁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୋଲିସ ମିଳିତ ଭାବେ ଅଚାନକ ବଭିନ୍ନ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ ପରିଦର୍ଶନ କରିବେ। କୋଭିଡ୍‌ ନିୟମ ଉଲ୍ଲଙ୍ଘନ ହେଉଥିବା ଦୃଷ୍ଟିକୁ ଆସିଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ମହାମାରୀ ରୋଗ ଆଇନ୍‌ ଭାଗ ୨(୧)ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମର ବାରମ୍ବାର ଉଲଂଘନ କରୁଥିବା ନଜରକୁ ଆସିଲେ ସମ୍ପୃକ୍ତ କାର୍ଯ୍ୟାଳୟକୁ ସିଲ୍‌ କରାଯିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଠାରୁ ଓଡ଼ିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟରେ ସମ୍ପୃର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି କରିବା ସହ କୋଭିଡ୍‌ ନିୟମର କଡା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।