ଟେନ୍ସା,୧୧ା୯(ସମୀର କୁମାର ପାଢ଼ୀ): ରାତିରେ ଖାଇସାରି ଶୋଇଥିଲେ ପରିବାର ଲୋକେ। କିଏ ଜାଣି ଥିଲା ସେହି ରାତିରେ ଚାଲିଯିବ ଜୀବନ। ଶୋଇଥିବା ଅବସ୍ଥାରେ ଦନ୍ତା ଶୁଣ୍ଡରେ ଟେକି ନେଇ ବୃଦ୍ଧଙ୍କୁ ଦଳି ଚକଟି ମାରିଦେଲା।
ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ରେଞ୍ଜର ଅଞ୍ଚଳରେ। ସାନ ଇନ୍ଦପୁର ଗ୍ରାମର ଗେରୁଆଲ ହଟିଙ୍ଗରେ ରୁହନ୍ତି ଶିବରାମ ବୋଡ଼ଇକ। ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ପଶିଥିଲେ। ଗ୍ରାମ ଲୋକେ ହାତୀକୁ ଯେତେ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରୁ ହାତୀ ଘୁଞ୍ଚି ନ ଥିଲେ। ଗ୍ରାମର ଲୋକେ କୋଇଡ଼ା ଫରେଷ୍ଟରଙ୍କୁ ଫୋନ କରିଥିଲେ ମଧ୍ୟ ଫରେଷ୍ଟର ଫୋନ ଉଠାଇ ନ ଥିଲେ । ହାତୀ ଦୁଇଟି ଗ୍ରାମରେ ଲୋକଙ୍କ ଘରୁ ଚାଉଳ ଖାଇବା ପାଇଁ ଘରଦ୍ୱାର ଭାଙ୍ଗି ଦେଇଥିଲେ। ଶିବରାମଙ୍କ ଘର ଭାଙ୍ଗି ବେଳେ ଚାଉଳ ନ ପାଇବାରୁ ଶିବରାମ ଶୋଇଥିବା ବେଳେ ହାତୀ ଘର ଭାଙ୍ଗିବା ଶୁଣି ଦୌଡ଼ି ପଳାଉଥିବାବେଳେ ହାତୀଶୁଣ୍ଡରେ ଟେକି ନେଇ ଦଳିଚକଟି ମାରି ଦେଇଥିଲା। ଗତ କିଛି ଦିନ ହେବ କୋଇଡ଼ା ବନାଅଞ୍ଚଳର ମାଳଦା, ଗଣୁଆ, ଶର୍ଗିଗଡ଼, ତେହେରେଇ, ସାନ ଇନ୍ଦୁପୁର, ପାଟମୁଣ୍ଡା ଆଦି ଅଞ୍ଚଳରେ ୨୧ଟିକିଆ ହାତୀପଲ ଗ୍ରାମରେ ପଶି ଲୋକଙ୍କର ଘର ଭାଙ୍ଗିବା ସହ ମୋଟରସାଇକେଲ ଓ କାର୍ ଭାଙ୍ଗି ଦେବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି। ଅଞ୍ଚଳବାସୀ ବାରମ୍ବାର କୋଇଡ଼ା ବନ ବିଭାଗ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଯାହା ଫଳରେ ଅକାରଣରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।