ଭୁବନେଶ୍ୱର,୧୦।୩(ସୁନିତ୍ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନ ଏବେ ଧୀରେ ଧୀରେ ରୋଚକ ମୋଡ଼ ନେବାକୁ ଲାଗିଲାଣି। ପ୍ରାର୍ଥତ୍ପତ୍ର ଦାଖଲ ଯାଏ ରାଜ୍ୟ ସଭା ନିର୍ବାଚନ ନେଇ ସବୁ ଦଳର ବିଧାୟକମାନଙ୍କର ଯେଉଁ ଆଭିମୁଖ୍ୟ ଥିଲା, ଏବେ ସେହି ଧାରାରେ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଉଛି। ୪ର୍ଥ ଆସନ ଲାଗି ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ତଥା ଶିଳ୍ପପତି ଦିଲୀପ ରାୟ ଏବଂ ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍) ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ। ଏଠାରେ ଉଲ୍ଲେଖ କରାଯାଇପାରେ, ଭାଜପା ପାଖରେ ୪ର୍ଥ ଆସନ ଲାଗି ୨୨ ଖଣ୍ଡ ଭୋଟ୍ ରହିଛି। ଏହା ବ୍ୟତୀତ ୮ଟି ଭୋଟ୍ କମ୍ ପଡୁଥିବା ସତ୍ତ୍ୱେ ଦିଲୀପ ଜିତିବେ ବୋଲି ଗଣମାଧ୍ୟମରେ ନିଜଆଡୁ ବାରମ୍ବାର ଦମ୍ଭୋକ୍ତି ଦେଖାଉଛନ୍ତି। ଅର୍ଥାତ୍ ୮ଟି ଭୋଟ୍ ଯେପର୍ଯ୍ୟନ୍ତ କିଣା ନ ହେବ ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ୪ର୍ଥ ଆସନରେ ଜିତିବା ସହଜ ହେବନାହିଁ। ରାଜନୈତିକ ମହଲର ଆଲୋଚନା ମୁତାବକ, ଭାଜପା ସମର୍ଥିତ ପ୍ରାର୍ଥୀ ନିଶ୍ଚିତ ଜିତିଯିବେ ବୋଲି ଯେଉଁ ପ୍ରଚାର କରୁଛନ୍ତି, ଏମିତି କହିକି ସେ ବିରୋଧୀ ଭୋଟ ଭାଙ୍ଗିଦେଇପାରିବେ ବୋଲି ଭାବୁଥାଇପାରନ୍ତି। ଅନ୍ୟପଟେ ଏଥର ରାଜ୍ୟ ସଭା ନିର୍ବାଚନରେ ଗୋଟିଏ ଭୋଟ ପିଛା ୭ରୁ ୧୦ କୋଟି ପର୍ଯ୍ୟନ୍ତ ମିଳିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଶାସକ ଦଳ ଯେତେବେଳେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି, ତେଣୁ ଏହି ଆସନ ଜିତିବା ଭାଜପା ପାଇଁ ସମ୍ମାନର ବିଷୟ ହେବ। ଏହାରି ଭିତରେ ଶାସକ ଦଳର ଅଧିକାଂଶ ବିଧାୟକ ଏବଂ ମନ୍ତ୍ରୀ କୁଆଡେ ୪ର୍ଥ ଆସନ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ବିଶେଷ ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି। ଦଳର ପ୍ରାୟ ସବୁ ବିଧାୟକ କହୁଛନ୍ତି ଭୋଟର ତାଲିକା ଯେତେବେଳେ ପ୍ରସ୍ତୁତ ହେବ ସେମାନଙ୍କ ନଁା ଶେଷ ୨୨ ଜଣଙ୍କ ଭିତରେ ରଖାଯାଉ।
ସୂତ୍ରରୁ ମିଳିଥିବା ଖବର ମୁତାବକ, ଭାଜପାର ବହୁ ବିଧାୟକ ଏବେ ଗୋଷ୍ଠୀ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଏକାଠି ହେଉଛନ୍ତି। ଭାଜପା ବିଧାୟକମାନଙ୍କ କହିବା କଥା, ତାଙ୍କ ଦଳ ସମର୍ଥନରେ ଦିଲୀପ ସ୍ବାଧୀନ ପ୍ରାର୍ଥୀ ହେଲେ। ଏବେ ଭାଜପାର ୨୨ ଖଣ୍ଡ ଭୋଟ୍ ତାଙ୍କୁ ମିଳିବ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପାଖରେ ଦିଲୀପଙ୍କ ଅପେକ୍ଷା ଅଧିକ ଭୋଟ୍ ରହିଛି। ଏହାସତ୍ତ୍ୱେ ଦିଲୀପ ଜିତିଯିବେ ବୋଲି ନିଶ୍ଚିତ ଅଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ଭିତରୁ କେତେଜଣଙ୍କୁ ମୋଟା ଅଙ୍କ ଦେଇ ସମୀକରଣକୁ ବଦଳାଇପାରିବେ ବୋଲି ଦିଲୀପ ଭାବୁଛନ୍ତି। ତେଣୁ ଶାସକ ଦଳର ବିଧାୟକମାନଙ୍କୁ ମଧ୍ୟ ଶିଳ୍ପପତି ପ୍ରାର୍ଥୀ ଟଙ୍କା ଦିଅନ୍ତୁ ବୋଲି ସେମାନେ ଦାବି କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ଶାସକ ଦଳର ବିଧାୟକମାନଙ୍କ ଭିତରୁ ଯେଉଁମାନେ ଏଭଳି ଯୁକ୍ତି ରଖୁଛନ୍ତି, ତାହାକୁ ଯଥାର୍ଥ ବୋଲି କହୁଛନ୍ତି।
ବିଶ୍ଳେଷକମାନଙ୍କ ମତରେ, ୪ର୍ଥ ଆସନ ଲାଗି ଶାସକ ଦଳ ବିଧାୟକଙ୍କ ଭୋଟ୍ ଯାହା ରହିଛି ସେଥିରେ ଜିତିପାରିବେନି ବୋଲି ଜାଣିବା ସତ୍ତ୍ୱେ ଦିଲୀପ ବାକି ଭୋଟ୍ ଯୋଗାଡ଼ରେ ଲାଗିଗଲେଣି। ବିରୋଧୀ ଶିବିରରୁ ଭୋଟ୍ କ୍ରସ୍ କରିବା ଲାଗି ଫୋନ୍ ମଧ୍ୟ ଗଲାଣି। ଏମିତିରେ ଦେଖିଲେ, ଶାସକ ଦଳର ବିଧାୟକମାନେ ମଧ୍ୟ ଭୋଟ୍ ଦେବେ। ବିଧାୟକମାନେ ବାରମ୍ବାର ନିଜ ନିର୍ବାଚନମଣ୍ଡଳୀକୁ ଯିବା ଏବଂ କର୍ମୀମାନଙ୍କ ସୁବିଧା, ଅସୁବିଧା ବୁଝିବାରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ କେବଳ ବିରୋଧୀ ବିଧାୟକ କାହିଁକି ଶାସକ ଦଳର ନିର୍ବାଚିତ ପ୍ରତିନିଧି ନ ଚାହିଁଲେ କ’ଣ ଦିଲୀପ ଜିତିପାରିବେ। ତେଣୁ ଶାସକ ବିଧାୟକମାନଙ୍କୁ ପ୍ରଥମେ ଶିଳ୍ପପତି ପ୍ରାର୍ଥୀ ଖୁସି କରିବା ଦରକାର। କିଛିଦିନ ତଳେ ବିଧାୟକମାନଙ୍କ ଦରମା ବଢ଼ିବା ବିଷୟକୁ ନେଇ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମରେ କହିଥିଲେ, ସବୁଦିନ ଯେତିକି ଚା କର୍ମୀମାନଙ୍କୁ ଦେବାରେ ଖର୍ଚ୍ଚ ହେଉଛି, ସେଥିରେ ମାସକୁ ଲକ୍ଷେ ଟଙ୍କା ପଳାଉଛି। ସବୁ ଦୃଷ୍ଟିକୋଣରୁ ଲକ୍ଷ୍ୟ କଲେ, ଶାସକ ଦଳ ବିଧାୟକମାନେ ଯାହା ଚର୍ଚ୍ଚା କରୁଛନ୍ତି, ସେଥିରେ କିଛି ଭୁଲ୍ ନାହିଁ। ନିକଟରେ ନିଜ ଦଳରୁ ବିଦା ହୋଇଥିବା ଜଣେ ବିଧାୟକଙ୍କ ପାଖରେ ସାହାଯ୍ୟ ପହଞ୍ଚିସାରିଲାଣି ବୋଲି ଗୁଜବ ହେଉଛି। ରାଜ୍ୟ ସଭା ପ୍ରାର୍ଥୀଙ୍କ ସହିତ ନିଲମ୍ବିତ ବିଧାୟକଙ୍କ ପିତାଙ୍କ ଘନିଷ୍ଠତା ସମ୍ପର୍କରେ ସମସ୍ତେ ଜାଣନ୍ତି। ତେଣୁ ଏହି ଗୁଜବ ବିଶ୍ୱାସଯୋଗ୍ୟ ହେଉଛି।