ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝେଇ ନେଇ ଏକ ୧୪ ଚକିଆ ଟ୍ରକ୍‌ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁ ଯାଉଥିଲା। ତେବେ ଚାଳକ ସୁଶୀଳ ନବାର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ରେ ଟ୍ରକ୍‌ଟିକୁ ସେଠାରେ ରଖି ରୋଷେଇ କରି ଖାଇବା ସହ ପ୍ରାୟ ୨ ଘଣ୍ଟା ସେଠାରେ ଅଟକି ରହିଥିଲେ। ସେହି ସମୟରେ ଟ୍ରକ୍‌ର ଇଞ୍ଜିନକୁ ମଧ୍ୟ ବନ୍ଦ କରି ଥଣ୍ଡା ପାଇଁ ଛାଡ଼ିଥିଲେ। ସେ ବିଶ୍ରାମ ନେବା ପରେ ଶୌଚ ପାଇଁ ଯାଇଥିବା ବେଳେ ଟ୍ରକ୍‌ଟି ଆପେ ଆପେ ପଛକୁ ଗଡ଼ିବା ଆରମ୍ଭ ହୋଇ ପ୍ରାୟ ୨ ଶହ ମିଟର ପଛକୁ ଗଡ଼ି ଯାଇ ଏକ ଚାଷଜମି ଭିତରେ ପଶିଯାଇଥିଲା। ତେବେ ଗାଡ଼ିରେ କେହି ନ ଥିବାରୁ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ସେହିପରି ଦାରିଙ୍ଗବାଡ଼ିକୁ ଏବେ ହଜାର ହଜାର ପର୍ଯ୍ୟଟକ ପରିବାର ନେଇ ଆସୁଥିବା ବେଳେ ରାଜପଥରେ ଶହ ଶହ ଗାଡ଼ି ଚଳାଚଳ କରୁଥିବା ବେଳେ ସୋଭାଗ୍ୟବଶତଃ ସେହି ସମୟରେ କୌଣସି ଗାଡ଼ି ଚଲାଚକ କରୁ ନ ଥିବାରୁ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଥିବା କୁହାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି ଏବେ ସୁଦ୍ଧା ଉଦ୍ଧାର କରାଯାଇ ନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Trusted Odia Daily

Share