ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସୋମବାର ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ନେଇ ମୋଟ୍‌ ୧୭୦ଟି ଅଭିଯୋଗର ଶୁଣାଣି ହୋଇଥିଲା ବ୍ୟକ୍ତିଗତ ଭାବେ ଅଭିଯୋଗ କରିବା ପାଇଁ ଏକାଧିକ ଦିବ୍ୟାଙ୍ଗ ଓ ବିଭିନ୍ନ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ରୋଗୀ ପହଞ୍ଚିଥିଲେ ସେମାନେ ଭିଡ଼ ଭିତରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସାଧାରଣ ଲୋକଙ୍କ ଭଳି ଯାଇ ପହଞ୍ଚିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ତେବେ ଅଭିଯୋଗ ଶୁଣାଣି ବେଳେ ଦାରିଙ୍ଗବାଡ଼ି ଆଇଆଇଆସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଏକାଧିକ ସୁରକ୍ଷକର୍ମୀ ଓଏସ୍‌ଏପି (ଓଡିଶା ସ୍ପେସିଆଲ ଆର୍ମେଡ଼ ପୋଲିସ )ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ଦିଲୀପ କୁମାର ସେଠୀ ନିଜ ଡ୍ୟୁଟିକୁ ଆହୁରି ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ସେ ଦିବ୍ୟାଙ୍ଗ ଓ ରୋଗୀଙ୍କୁ ତାଙ୍କ ଟ୍ରାଇ ସାଇକେଲରେ ନେଇ ଜିଲାପାଳଙ୍କ ନିକଟରେ ପହଞ୍ଚାଇବାରେ ସହାୟତା କରିଥିଲେ। ଜଣେ ପୋଲିସ ସୁରକ୍ଷକର୍ମୀଙ୍କ ଏଭଳି ଦାୟିତ୍ୱ ଓ ହୃଦୟବାନ କାର୍ଯ୍ୟକୁ ସେଠାରେ ଉପସ୍ଥିତ ଅନ୍ୟ ଅଭିଯୋଗକାରୀ, ସରକାରୀ କର୍ମଚାରୀ ପ୍ରଶଂସା କରିବା ସହ ସାଧାରଣରେ ବେଶ୍‌ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Share