ଆରମ୍ଭ ହେଲା ଡିଜିଟାଲ ଠିକଣା ସର୍ଭେ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଘର ଖୋଜିବାକୁ ଆଉ ଅସୁବିଧା ହେବ ନାହିଁ। ବିଏମ୍‌ସି ମଙ୍ଗଳବାରଠାରୁ ଜିଓ ଟ୍ୟାଗ ସ୍ମାର୍ଟ ଆଡ୍ରେସ୍‌ ପ୍ରଦାନ ଆରମ୍ଭ କରିଛି। ନୂତନ ଭାବେ ଆରମ୍ଭ କରାଯାଇଥିବା ଡିଜିଟାଲ ଡୋର ନମ୍ବରିଂ ବ୍ୟବସ୍ଥା ସହରବାସୀଙ୍କ ପାଇଁ ଅଧିକ ସହଜ ହେବ। ଜିଆଇଏସ ଟେକ୍ନୋଲୋଜି ଜରିଆରେ ପ୍ରତ୍ୟେକ ଘର ପାଇଁ ଏକ ଆଲ୍‌ଫା ନ୍ୟୁମେରିକ ନମ୍ବର କରାଯାଇଛି। ଏହାଦ୍ୱାରା ସହରର କେଉଁଠି ଆବାସିକ ଓ ବ୍ୟବସାୟିକ ଗୃହ ରହିଛି ତାହା ସହଜରେ ଚିହ୍ନଟ କରାଯାଇପାରିବ। ଏହାଦ୍ୱାରା ଘର ଘର ବୁଲି ଅଳିଆ ସଂଗ୍ରହ ସହଜ ହୋଇପାରିବ। ଏଥିସହିତ ଡାକ ବିଭାଗ, ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ କାର୍ଯ୍ୟ ପ୍ରଦାନରେ ମଧ୍ୟ ସହଜ ହେବ। ଓ୍ବାର୍ଡ ନମ୍ବର ୬, ୨୩ ଓ ୩୦ରୁ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ସର୍ଭେ ଟିମ୍‌ ଘର ଘର ବୁଲି ଜିଓ ଟ୍ୟାଗିଂ କରି ଠିକଣା ସଂଗ୍ରହ କରି ଅପ୍‌ଲୋଡିଂ କରିବା ସହ ସ୍ମାର୍ଟ ଠିକଣା ପ୍ରସ୍ତୁତ କରିବେ। ଡିଜିଟାଲ ଡୋର ନମ୍ବରିଂ ହେଉଛି ଏକ ସ୍ମାର୍ଟ ଠିକଣା ବ୍ୟବସ୍ଥା। ଜିଓସ୍ପାଟିକାଲ ଟେକ୍ନୋଲୋଜି ବ୍ୟବହାର କରାଯାଇ ଘର ଓ ସମ୍ପତ୍ତିର ଠିକଣା ପ୍ରସ୍ତୁତ କରାଯିବ। ସର୍ଭେରେ ଘର କିମ୍ବା ସମ୍ପତ୍ତିର ଓ୍ବାର୍ଡ, ଗଳି, ପ୍ରକୃତ ସ୍ଥାନ ଏବଂ ନିକଟସ୍ଥ ଏକ ସଙ୍କେତକୁ ସଂଗ୍ରହ କରାଯିବ। ଏହି ପାଇଲଟ ପ୍ରକଳ୍ପ ଫେବୃୟାରୀ ୧ରୁ ଆରମ୍ଭ ହୋଇ ୧୨ରେ ଶେଷ ହେବ। ଅନ୍ୟ ଓ୍ବାର୍ଡଗୁଡ଼ିକରେ ଫେବୃୟାରୀ ୧୩ରୁ ମାର୍ଚ୍ଚ ୩୧ ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୩.୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।