ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ ସାମିଲ ନକରିବା, ସଭା ମଞ୍ଚର ସମ୍ମୁଖରେ ବରପୁତ୍ରମାନଙ୍କ ଫଟୋ ରଖି ବସିବା, ପାଇକ ଆଖଡା ନୃତ୍ୟରେ ବୀର ବାଦ୍ୟଯନ୍ତ୍ର ନ ବାଜିବା ଆଦି ବ୍ୟତିକ୍ରମ ଦେଖିବାକୁ ମିଳିଛି ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାରଙ୍କ ଭୂମିରେ। ନାମକୁ କାମଚଳା କାର୍ଯ୍ୟକ୍ରମ କରି ଜିଲା ପ୍ରଶାସନର ସଂସ୍କୃତି ବିଭାଗ ଦାୟିତ୍ୱ ସାରି ଦେଇଛି। ମହାରାଜାଙ୍କ ନିଜସ୍ବ ପ୍ରତିଷ୍ଠାନ, ସ୍ଥାନୀୟ ଉତ୍କଳ ହିତୈଷିଣି ସମାଜ ଓ ଅନ୍ୟାନ୍ୟ ଅନୁଷ୍ଠାନ, ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ମଧ୍ୟ ଅଣ ଦେଖା କରାଯାଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ରମରେ ସାମିଲ ହେଉଥିବା ପାଇକ ଆଖଡ଼ା ଭଳି ସାଂସ୍କୃତିକ ଦଳ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ବୀର ବାଦ୍ୟଯନ୍ତ୍ରର ମଧ୍ୟ ବ୍ୟବସ୍ଥା କରିପାରିନି ବିଭାଗ। ଯାହା କଳାକାରଙ୍କୁ ଅସମ୍ମାନ ବୋଲି ଆଲୋଚନା ହେଉଛି । ଯେଉଁ ବୀରବାଦ୍ୟର ତାଳେ ତାଳେ ଖଣ୍ଡା ବୁଲାଇବା ତାହା ଚଳିତ ବର୍ଷ ପରିଲକ୍ଷିତ ହେଲାନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହାର ପ୍ରତିବାଦ କରାଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ସେହିପରି ଆରସେଟି ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମର ମଞ୍ଚ ଉପରେ ଅତିଥିମାନଙ୍କ ଚେୟାର ଟେବୁଲ ଆଗରେ ବରପୁତ୍ରମାନଙ୍କ ଫଟୋ ଚିତ୍ରଗୁଡିକୁ ରଖାଯାଇଥିଲା। ଯଦି ଅତିଥିମାନେ ମଞ୍ଚାସୀନ ହୋଇ ବସନ୍ତି ତେବେ ସେମାନଙ୍କ ପାଦ ଆଗରେ ବରପୁତ୍ରମାନେ ରହିବେ। ବରପୁତ୍ରମାନଙ୍କ ପ୍ରତି ଏପରି ବ୍ୟବହାର ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ଅନ୍ୟ ପକ୍ଷରେ ଓଡ଼ିଆ ଅସ୍ମିତା କଥା କହୁଥିବା ସରକାର ସ୍ବତନ୍ତ୍ର ଉତ୍କଳର ନିର୍ମାତାଙ୍କ ମାଟିରେ ଜିଲା ସଂସ୍କୃତି ଅଧିକାରୀ ବାରମ୍ବାର ଓଡିଆ ଅସ୍ମିତାକୁ ଅପମାନ କରିବା ସହ ସଂସ୍କୃତିକୁ ନଷ୍ଟ କରୁଛନ୍ତି। ସରକାର ଏ ଦିଗେରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଦିନେ କି ଦୁଇଦିନ ନୁହଁ ଦୀର୍ଘ ବର୍ଷ ଧରି ଏଠାରେ ଅବସ୍ଥାପିତ ହୋଇଥିବା ସଂସ୍କୃତି ଅଧିକାରୀ ଓଡିଆ ପର୍ବ ଓଡ଼ିଶା ଦିବସ ପାଳନ ଲାଗ ବହୁ ପୂର୍ବରୁ ପ୍ରସ୍ତୁତି ହୋଇ ମଧ୍ୟ ସଂସ୍କୃତି ଅଧିକାରୀ ଜାଣି ଶୁଣି ପରମ୍ପରାକୁ ଭଙ୍ଗ କରୁଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଚଳିତ ଜାନୁୟାରୀରୁ ଏଯାଏ ଯେତିକି ସରକାରୀ କାର୍ଯ୍ୟକ୍ରମ ଜିଲାସ୍ତରରେ କିମ୍ବା ଆଞ୍ଚଳିକ ସ୍ତରରେ ହୋଇଛି ସବୁଥିରେ ଓଡିଆ ଅସ୍ମିତା କୁ ଅଣଦେଖା କରିଛନ୍ତି ସଂସ୍କୃତି ଅଧିକାରୀ। ଜିଲାର ମୁଖ୍ୟ ଜିଲାପାଳଙ୍କ ଆନ୍ତରିକତା ଅଭାବ କିମ୍ବା ନିରୀକ୍ଷଣ, ସମୀକ୍ଷା, ପରିଦର୍ଶନ ଆଦି ସେ କରୁ ନ ଥିବାରୁ ଏପରି ତ୍ରୁଟି ହେଉଥିବା ବୁଦ୍ଧିଜୀବୀ ପ୍ରନୋଜ ପଟ୍ଟନାୟକ କହିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଏ ବିଷୟରେ ଡିଆଇପିଆରଓ କହିପାରିବେ, ଏସବୁ କାର୍ଯ୍ୟକ୍ରମ ସେ ଆୟୋଜନ କରନ୍ତି। ଏନେଇ ଡିଆଇପିଆରଓ ପ୍ରଦୀପ୍ତ ଗୁରୁମାଇଁଙ୍କୁ ପଚାରିବାରୁ ସେ କହିଲେ, ଏପରି ଆମେ ପ୍ରତିବର୍ଷ ରଖୁ ବୋଲି କହି ଘଟଣାକୁ ହାଲକା ଭାବେ ନେଇଥିଲେ। ଅନ୍ୟପକ୍ଷରେ ଏନେଇ ଜଣେ ବୁଦ୍ଧିଜୀବୀ କହିଛନ୍ତି, ବରପୁତ୍ରମାନଙ୍କ ଫଟୋକୁ ଯଦି ମଞ୍ଚରେ ରଖଗଲା ତେବେ ମଞ୍ଚରେ ଅତିଥିମାନେ ନ ବସି ତଳେ ବସିଥାନ୍ତେ। ଜଣେ ଅଧିକାରୀ ମଞ୍ଚରେ ରହି କାର୍ଯ୍ୟକ୍ରମ ସଂଯୋଜନା କରି ଅତିଥିଙ୍କୁ ବକ୍ତବ୍ୟ ପାଇଁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ସଭା ଠିକ୍‌ ରୂପେ ହୋଇଥାନ୍ତା ଏବଂ ବରପୁତ୍ରମାନଙ୍କ ପ୍ରତି ଅସମ୍ମାନ ହୋଇ ନ ଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily