ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି

ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍‌ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା ନଦୀ ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ବାଲିଘାଟ ସଇରାତ୍‌ରେ ଜନଶୁଣାଣି ଶେଷ ହୋଇଛି। ଏହାର ରେକର୍ଡିଂ କରାଯାଇ ସରକାରଙ୍କୁ ଜଣାଇବା ପରେ ନିର୍ଦ୍ଦେଶ ଅନୁଯାୟୀ ବାଲିଖାଦାନ ନୀତିଗତ ଗତ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି।
ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଗ୍ରୀନ ଟ୍ରିବ୍ୟୁନାଲରେ ପୂର୍ବରୁ ଆଗତ ମାମଲା(ନଂ.୧୮୬/୨୦୧୬ ଓ ୧୭୩/୨୦୧୮)ର ବିଚାର କରି ଗତ ୪ା୯ା୧୮ ଓ ୧୭ା୯ା୧୮ରେ ରାୟ ପ୍ରକାଶ ପାଇଥିଲା। ନୀତିଗତ ଭାବେ ବାଲି ସଇରାତର ୫ ହେକ୍ଟରରୁ ଅଧିକ ସ୍ଥାନରେ ଲିଜ୍‌ ଦିଆଯିବାର ହୋଇଥିଲେ ସେଠାରେ ପରିବେଶ ମଞ୍ଜୁର ହେବା ଲାଗି ଜନଶୁଣାଣିର ଆବଶ୍ୟକତା ରହିଛି ା ପୂର୍ବରୁ ସମସ୍ତ ନୀତିନିୟମ ଊଲ୍ଲଂଘନ କରି ପ୍ରଶାସନ ପକ୍ଷରୁ ଖୁଲମଖୁଲା ନିଲାମ ଦିଆଯାଇ କୋଟି କୋଟି ଟଙ୍କା ରାଜସ୍ବ ହଡପ କରାଯାଇ ଆସୁଥିଲା। ଏଥିରେ ପୂର୍ବରୁ ଥିବା ସମସ୍ତ ତହସିଲଦାର, ବାଲେଶ୍ୱରର ଜିଲାପାଳ, ଉପଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସିଆ ବାଲି ସଇରାତଗୁଡିକର ସୀମା ନିର୍ଦ୍ଧାରଣ କରିନାହାନ୍ତି ା ଖୁଣ୍ଟି ପୋତା ନ ଯିବା, ସମସ୍ତ ତଥ୍ୟର ବୋର୍ଡ ଲଗା ନ ଯିବା, ସମସ୍ତ ବିବରଣୀ ଜନସାଧାରଣଙ୍କ ଲାଗି ଜଣାଇ ଦିଆ ନ ଯାଇ ଜଳେଶ୍ୱର ତହସିଲର ୨୩ଟି ବାଲି ସଇରାତ୍‌ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଛି। ରାଜନଗର ବାଲିଘାଟ ସଇରାତ୍‌ ଲାଗି ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିବାରୁ ଗତ କିଛିଦିନ ତଳେ ଏନ୍‌ଜିଟିର ଏକ ଟିମ୍‌ ବାଲି ସଇରାତ୍‌କୁ ପରିଦର୍ଶନ କରିଥିଲେ। ବୁଧବାର ଜନଶୁଣାଣି ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ବୈଠକରେ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମିତ୍ରସେନ୍‌ ମାଝି ଓ ଅତିରିକ୍ତ ଜିଲାପାଳ ଭବେଶ ଚନ୍ଦ୍ର ନାୟକ, ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ସୁପରଭାଇଜର ଶୁଭେନ୍ଦୁ ସାହୁ, ଆର୍‌ଆଇ ସରୋଜ ବେହେରା, ଦିଲୀପ ଚନ୍ଦ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଜନଶୁଣାଣିରେ ଭାଗ ନେଇଥିଲେ।
ସଇରାତରୁ ଶହ ଶହ ଟ୍ରାକ୍ଟର ଓ ଡମ୍ପର ପ୍ରତିଦିନ ବାଲି ଧରି ବିଦ୍ୟାଳୟ, ମନ୍ଦିର, ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟସେବା କେନ୍ଦ୍ର ନିକଟ ଦେଇ ଯାତାୟାତ କରୁଥିବାରୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ।
ରାଜନଗର ଗ୍ରାମର ଖାତା ନଂ. ୩୭୭, ପ୍ଲଟ ନଂ.୧୨୯୫ ଓ ୧୩୦୦ରୁ ୧୩ ଏକର ୫୫ ଡିସିମିଲ ରହିଛି। ସରକାରଙ୍କ ନୀତି ଅନୁଯାୟୀ ୫ବର୍ଷ ନିମନ୍ତେ ୨ଲକ୍ଷ କ୍ୟୁବିକ୍‌ ମିଟର ବାଲି ଉଠାଇବାର ନିୟମ ଥିବା ବେଳେ ବର୍ଷକୁ ୪୦ ହଜାର କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରାଯିବା ନିୟମ ରହିଛି।
ପ୍ରତିଦିନ ୬୬ ଟ୍ରାକ୍ଟର ବାଲି ଉତ୍ତୋଳନ ହୋଇପାରିବ। ୪୮ଜଣ ମଜୁରି ଓ ଗୋଟିଏ ମେଶିନ ଏଥିରେ ବ୍ୟବହାର କରାଯିବାର ନିୟମ ରହିଛି। କିନ୍ତୁ ପୂର୍ବରୁ ସମସ୍ତ ନିୟମ ଊଲ୍ଲଙ୍ଘନ କରାଯାଇଥିବାରୁ ଅସନ୍ତୋଷ ଦେଖା ଦେଇଆସୁଥିଲା।