Boxes of N95 protective masks for use by medical field personnel are seen at a New York State emergency operations incident command center during the coronavirus outbreak in New Rochelle, New York, U.S., March 17, 2020. REUTERS/Mike Segar
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଭକ୍ତଶୂନ୍ୟ ନିରାଡ଼ମ୍ବର ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥିତିରେ ଚଳିତବର୍ଷ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ କୋଭିଡ୍ କଟକଣା ଭିତରେ ନିଆରା ଢଙ୍ଗରେ ପୂଜା ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଏଥର କାହାଠାରୁ ଚାନ୍ଦା ଗ୍ରହଣ କରାଯିବନି। କରୋନା ଦାଉରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ସ୍ଥାନୀୟ କଲୋନୀରେ ଘରେ ଘରେ ମାସ୍କ ଓ ସାନିଟାଇଜର ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି।
ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀର ଆସୋସିଏଶନ ପକ୍ଷରୁ କୁହାଯାଇଛି ଯେ, ୨୦୦୮ରୁ ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଓ ମଣ୍ଡପର ପୀଠ ଦେବୀ ପ୍ରତିଦିନ ପୂଜା ପାଆନ୍ତି। ହିନ୍ଦୁ, ମୁସ୍ଲିମ୍ ଓ ଖ୍ରୀଷ୍ଟିଆନ୍ ଆଦି ଧର୍ମର ଲୋକେ ମା’ଙ୍କୁ ପୂଜା କରନ୍ତି। ତିନି ଧର୍ମର ଧାର୍ମିକ ସଙ୍କେତରେ ତୋରଣ ନିର୍ମାଣ କରାଯାଏ। କିନ୍ତୁ ଚଳିତବର୍ଷ ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ କେବଳ ବୈଦିକ ବିଧିବିଧାନ ପାଳନ ପୂର୍ବକ ମଣ୍ଡପରେ ପୂଜାକାର୍ଯ୍ୟ ହେବ। ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ବାରଣ ପାଇଁ ସାମ୍ନାରେ କପଡ଼ା ଟଙ୍ଗା ହୋଇ ପୂଜା କାର୍ଯ୍ୟ ସମାପନ କରାଯିବ ଓ ମଣ୍ଡପ ପାର୍ଶ୍ୱରେ ଅସ୍ଥାୟୀ ପୁଷ୍କରିଣୀ କରାଯାଇ ଭସାଣି କରାଯିବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜାମଣ୍ଡପ ଓ ପୂଜାମଣ୍ଡପର ଚତୁଃପାର୍ଶ୍ୱକୁ ବିଶୋଧନ କରାଯିବ। ପୂଜାମଣ୍ଡପ ସମ୍ମୁଖରେ ମାସ୍କ ଓ ସାନିଟାଇଜର ମହଜୁଦ ରଖାଯିବ। ଷଷ୍ଠୀରୁ ଭସାଣି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳେ କଲୋନୀ ବିଶୋଧନସହ ସମସ୍ତ ରାସ୍ତାକୁ ସଫେଇ କରାଯିବ। କଲୋନୀରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସହ ମାଗଣା ମାସ୍କ, ସାନିଟାଇଜର ଓ ଚାରା ବଣ୍ଟନ କରାଯିବ। ସମସ୍ତ ଭକ୍ତ ଘରେ ରହି ପ୍ରଚାର ପତ୍ରରେ ପୂଜା କାର୍ଯ୍ୟସୂଚୀ ଅନୁଯାୟୀ ପୂଜା ଓ ବ୍ରତ କରିବା ସହିତ ଘର ଆଗରେ ୬ଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ କଳଶ ବସାଇବା ପାଇଁ ଆସୋସିଏଶନ ପକ୍ଷରୁ କଲୋନୀବାସୀଙ୍କୁ ନିବେଦନ କରାଯାଇଛି। ଏହି ସମ୍ମିଳନୀରେ ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ, ସଭାପତି ପ୍ରକାଶଚନ୍ଦ୍ର ବିଜୁଳି, ଉପସଭାପତି ଖଗେଶ୍ୱର ଖଣ୍ଡାୟତରାୟ, ସହସମ୍ପାଦକ ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।