ଭୁବନେଶ୍ୱର,୨୦ା୧୦ (ରବିନାରାୟଣ ଜେନା): ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ସୋମବାର) ପ୍ରାର୍ଥତ୍ପତ୍ର ଦାଖଲର ଶେଷଦିନ ରହିଛି। ଇତିମଧ୍ୟରେ ୫ ପ୍ରାର୍ଥୀ ୭ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିମଧ୍ୟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ଭାଜପାର ପ୍ରାର୍ଥୀ ଜୟ ଢୋଲକିଆ ରହିଥିବାବେଳେ ଦୁଇଜଣ ସ୍ବାଧୀନ ଏବଂ ଜଣେ ଓଡ଼ିଶା ଜନତା ଦଳ ପ୍ରାର୍ଥୀ ରହିଛନ୍ତି। ହେଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି। ତେବେ ରାଜ୍ୟର ପ୍ରମୁଖ ତିନି ଦଳର ତାରକା ପ୍ରଚାରକମାନଙ୍କ ଭିଡ଼ ଏବେ ନୂଆପଡ଼ାରେ ଧୀରେ ଧୀରେ ଦେଖିବାକୁ ମିଳୁଛି। ପରିସ୍ଥିତି ଏପରି ହେଲାଣି ଯେ, ପଡ଼ୋଶୀ ଜିଲା ଏବଂ ରାଜ୍ୟ ଛତିଶଗଡ଼ରେ ମଧ୍ୟ ରହଣି କରିବାକୁ ପ୍ରଚାରକଙ୍କୁ ପଡୁଛି। ସବୁଠାରୁ ବଡ଼କଥା ହେଲା, ନୂଆପଡ଼ା ସହରରେ ତେଲ ଟାଙ୍କିରେ ମଧ୍ୟ ପ୍ରବଳ ଭିଡ଼ ଅନୁଭୂତ ହେଉଛି। ଏପରି କି ସମୟେ ସମୟେ ଟାଙ୍କିରୁ ତେଲ ଶେଷ ହୋଇଯିବାରୁ ପ୍ରଚାରକ ଗାଡ଼ି ଏବଂ ଶୋଭାଯାତ୍ରା ଗାଡ଼ିକୁ ବିଳମ୍ବ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏହାସହିତ ତାରକା ପ୍ରଚାରକଙ୍କ ରହିବା ଖାଇବା ମଧ୍ୟ ଅସୁବିଧା ହେଉଥିବା ପ୍ରଚାରକମାନେ କହୁଛନ୍ତି। ସୂଚନାଯୋଗ୍ୟ, ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୨୨ (ବୁଧବାର)ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।