ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ହେଲେ ବସନ୍ତ ବେହେରା(୩୦)। ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ଦିନ ହେଲା ପଡ଼ିରହିଛି ପଚା ଶବ। ଏଥିରୁ ଦୁର୍ଗନ୍ଧ ବାହାରୁ ଥିବାରୁ ମେଡିକାଲ ପରିସରରେ ରହିବା ସମ୍ଭବ ହେଉନାହିଁ। ମୃତକ ବସନ୍ତଙ୍କ ନିଜଘର ଲୋକ ଓ ଶ୍ୱଶୁର ଘରର ଲୋକଙ୍କ ମୃତ୍ୟୁ ପାଇଁ ପରସ୍ପର ମଧ୍ୟରେ ଆପତ୍ତି ଅଭିଯୋଗ କାରଣରୁ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିପାରୁନି। ପରିବାର ଲୋକ ବି ୩ ଦିନ ହେଲା ଦିନ ରାତି ମୃତଦେହ ପାଖରେ ଜଗି ରହିଛନ୍ତି। ମୃତ୍ୟୁକୁ ନେଇ ଉଠିଛି ବିବାଦ। ଫଳରେ ମୃତଦେହ ସେମିତି ମେଡିକାଲରେ ପଡ଼ିରହିଛି।
ସୂଚନାନୁଯାୟୀ, ବସନ୍ତଙ୍କ ନିଜ ଗ୍ରାମ ପୁରୁଷୋତ୍ତମପୁର ବ୍ଲକ ରେଙ୍ଗୁଟି ପଲ୍ଲି ଗ୍ରାମ। ତାଙ୍କ ଶ୍ୱଶୁର ଘର ହେଉଛି ଧରାକୋଟ ବ୍ଲକ ପଣିବନ୍ଧ। ସେ ଗତ ୬ଦିନ ତଳେ ନିଜ ଶ୍ୱଶୁର ଘର ଗ୍ରାମକୁ ଆସିଥିଲେ। ଗତ ଗୁରୁବାର ରାତିରେ ଶ୍ୱଶୁର ଘରେ ଖାଇ ଶୋଇବାକୁ ଅନ୍ୟ ଏକ ଘରକୁ ଯାଇଥିଲେ। ସେଠାରେ ଶୋଇଥିବା ସମୟରେ ଶ୍ୱଶୁର ଘର ଲୋକଙ୍କ କହିବା ମୁତାବକ ଆଉ ଡାକିଲେ ମଧ୍ୟ ଶୁଣି ନ ଥିଲେ। ଫଳରେ ତାଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ରାତି ଗୋଟାଏରେ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ବସନ୍ତଙ୍କ ମୃତୁକୁ ନେଇ ତାଙ୍କ ଭାଇମାନେ ଓଲଟା ଅଭିଯୋଗ ଆଣୁଛନ୍ତି। ସେମାନଙ୍କ ଆଭିଯୋଗ ଯେ, ବସନ୍ତଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ହତ୍ୟା କରିଛନ୍ତି। ତେଣୁ ସେମାନେ ଘଟଣାର ସତ୍ୟତା ଜାଣିବା ପରେ ହିଁ ମୃତଦେହ ନେବେ। ଏପଟେ ବସନ୍ତଙ୍କ ଶ୍ୱଶୁର ଘର ଲୋକେ ୩ ଦିନ ହେଲା ମେଡିକାଲରେ ପୋଲିସ ସହ ଅନିଦ୍ରା ରହିଛନ୍ତି। ସେପଟେ ପୋଲିସ ମଧ୍ୟ ମୃତଦେହ ବିବାଦ ଫଳରେ ବ୍ୟବଚ୍ଛେଦ ପାଇଁ ପଠାଇ ପାରୁନାହିଁ। ଏପଟେ ମେଡିକାଲ ପରିସରରେ ସେମିତି ପଡ଼ିରହିଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଡାକ୍ତର ମଧ୍ୟ ଚାହିଁ ଚାହିଁ ପୋଲିସକୁ ବାରମ୍ବାର ଖବର ଦେବା ପରେ ବି କିଛି ସୁଫଳ ମିଳି ନ ଥିଲା। ତେଣୁ ପଚା ମୃତଦେହ ଯୋଗୁ ରୋଗୀସେବା ବ୍ୟାହତ ହୋଇଛି। ଶନିବାର ୨ ଘଣ୍ଟାରେ ଧରାକୋଟ ଓ ଗାଙ୍ଗପୁର ପୋଲିସର ଉପସ୍ଥିତିରେ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଥିବାବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ସନ୍ଦେହଜନକ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

Share
Tags: deadbody