ପୋତାହେଲା ଲକ୍ଷାଧିକ ଟଙ୍କାର ବାଣ, ବେଆଇନ ଭାବେ ଗଚ୍ଛିତ ରଖି…

ଗଞ୍ଜାମ,୧୮ା୯(ଅଖିଳ ତରାଇ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରେ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀକୁ ପୋଲିସ ଜବତ କରିବା ପରେ ଏହାକୁ ନଷ୍ଟ କରିଦିଆଯାଇଛି। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର କୋର୍ଟର ନିୟମାନୁସାରେ ରାମଗଡ଼ ପଞ୍ଚାୟତସ୍ଥିତ ବନ୍ଧୁକ ଟ୍ରେନିଂ ସେଣ୍ଟର ପାଖରେ ଜେସିବି ସାହାଯ୍ୟରେ ଗାତ ଖୋଳି ଏହି ବାଣଗୁଡ଼ିକୁ ପୋତାଯାଇଛି। ଏହି କାର୍ଯ୍ୟରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼େଇଙ୍କ ନେତୃତ୍ୱରେ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।

ପ୍ରକାଶ ଥାଉକି, ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ମିଳିତ ଚଢ଼ାଉରେ ସୁନ୍ଦରପୁର ଗ୍ରାମର ଟାଓ୍ବାରସାହିର ପପୁନ ପାତ୍ରଙ୍କ ତିନୋଟି ଘରରୁ ଏହି ବେଆଇନ ବାଣ ଜବତ କରାଯାଇଥିଲା। ଗୋଟିଏ ଘରର ତାଲା ଭଙ୍ଗାଯାଇ ଅନୁସନ୍ଧାନ କରାଯାଇଥିଲା। ଚଢ଼ାଉ ଦଳରେ ଏସ୍‌ଡିପିଓ ଚନ୍ଦନ ଘଡ଼େଇ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ଏବଂ ପୋଲିସ ଫାର୍ସ ସାମିଲ ଥିଲେ। ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟର ବ୍ୟାପକତାକୁ ଉଜାଗର କରିଛି। ପୋଲିସ କହିଛି ଯେ, ଏହିପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ସ୍ଥାନୀୟ ବାସିନ୍ଦାମାନେ ଏହି କାର୍ଯ୍ୟକୁ ସ୍ବାଗତ କରିଛନ୍ତି।

Share
Tags: crackers