ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ ୧୦ରୁ ଊଦ୍ଧର୍‌ବ ଗୋରୁ ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରିଥିଲେ। ଏନଏସି କର୍ତ୍ତୃପକ୍ଷଙ୍କ ଅଣଦେଖା ପାଇଁ ଗୋରୁ ମୃତ୍ୟୁମୁଖରେ ପଡୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ନ ଦେଲେ ଆନ୍ଦୋଳନ କରାଯିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ନୀଳଗିରି ଏନ୍‌ଏସିରେ ପରିବେଶ ସ୍ବଚ୍ଛତା ଆଣିବା ପାଇଁ ୧୩ ଗୋଟି ୱାର୍ଡ଼ରେ ସଫେଇ କାର୍ଯ୍ୟ କରାଯାଇଥାଏ। ପ୍ରତିଦିନ ୱାର୍ଡ଼ରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ଟ୍ରାକ୍ଟର ଯୋଗେ ଜାମୁଡ଼ିହା ପଞ୍ଚାୟତ ମଲିଆଣି ଗ୍ରାମର ମୋରମ ଖାଦାନଠାରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଗାରବେଜ ମଧ୍ୟରେ ପକାଯାଇଥାଏ। କିନ୍ତୁ ଉକ୍ତ ଗାରବେଜ ଚାରିପାଖରେ ପାଚେରି ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆଖପାଖ ଗାଁର ଗୋରୁମାନେ ଖାଦ୍ୟ ଅନ୍ବେଷଣରେ ଏଠାରେ ପଡ଼ିଥିବା ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରୁଛନ୍ତି। ଶୁକ୍ରବାର ପରମାନନ୍ଦ ଦାସଙ୍କ ଗୋଟିଏ ଗୋରୁ ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।