ଆକାଉଣ୍ଟରୁ ଟଙ୍କା ହଡ଼ପ କରି ଗିରଫ ହେଲେ ଦମ୍ପତି

ମୋରଡ଼ା,୨୦ା୧୨(ସ୍ମାରକ ମାଜୀ): ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ହଡ଼ପ କରିଥିବା ଦମ୍ପତିଙ୍କୁ ମୋରଡ଼ା ଥାନା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ରୂପାଲି ଭକ୍ତାଙ୍କ ସ୍ବାମୀ ସର୍ପଘାତ ଜନିତ ମୃତ୍ୟୁର ସରକାରୀ ସହାୟତା ରାଶି ୪ ଲକ୍ଷ ଟଙ୍କା ରୂପାଲିଙ୍କ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚିତ୍ରଡ଼ା ଶାଖା ଆକାଉଣ୍ଟରେ ଲାଗିଥିଲା। ତେବେ ରୂପାଲିଙ୍କ ବ୍ୟାଙ୍କ ପାସ୍‌ବୁକ୍‌କୁ ନକଲି କରି ନିଜର ଫଟୋ ଦେଇ ୧ ଲକ୍ଷ ୭୦ ହଜାର ଟଙ୍କା ରଶ୍ମିତା ଦେହୁରୀ(୨୩) ଉଠାଇ ନେଇଥିବା ବେଳେ ଉକ୍ତ କାର୍ଯ୍ୟରେ ରଶ୍ମିତାଙ୍କୁ ତାଙ୍କ ସ୍ବାମୀ ମନୁ ଦେହୁରୀ (୩୫) ସହଯୋଗ କରିଥିଲେ। ଗତ ମଙ୍ଗଳବାର ଉକ୍ତ ଦମ୍ପତି ପୁଣି ଥରେ ୫ ହଜାର ଟଙ୍କା ଉଠାଇବା ପାଇଁ ସମାନ ନୀତି ଅବଲମ୍ବନ କରି ଉକ୍ତ ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ।

ତେବେ ମ୍ୟାନେଜରଙ୍କ ନଜରକୁ ଏହା ଆସିବା ପରେ ମ୍ୟାନେଜର ସନ୍ଦେହ କରି ସଙ୍ଗେସଙ୍ଗେ ମୋରଡ଼ା ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦମ୍ପତିଙ୍କୁ ପଚରାଉଚରା କରିଥିଲେ ଏବଂ ଦମ୍ପତିଙ୍କୁ ଅଧିକ ପଚରାଉଚରା ଓ ତଦନ୍ତ ପରେ ଦମ୍ପତିଙ୍କୁ ଆଜି ଗିରଫ କରି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l ମୋରଡ଼ା ଥାନାରେ ଏନେଇ ୪୪୩/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Share
Tags: money