
ସୁଇଜରଲାଣ୍ଡ ଜେନେଭା ସହରର ଜଣେ ବ୍ୟବସାୟୀ ଇଟାଲୀର ଲୋମ୍ବାର୍ଡି ଅଞ୍ଚଳକୁ ୧୮୫୯ ଜୁନ୍ରେ ଯାଇଥିଲେ। ବ୍ୟବସାୟୀ ଜଣକ ଉତ୍ତର ଇଟାଲୀର କାଷ୍ଟିଗ୍ଲିୟନ୍ଡିଲା ସହରର ହୋଟେଲରେ ରାତ୍ରିଯାପନ କଲେ। ସାଲଫାରିନୋ ନାମକ ଛୋଟ ସହର ନିକଟରେ ଘମାଘୋଟ ଯୁଦ୍ଧର ଗୁଳିଗୋଳା ଶବ୍ଦରେ ତାଙ୍କର ନିଦ ଭାଙ୍ଗିଗଲା। ଏକ ପକ୍ଷରେ ଅଷ୍ଟ୍ରିଆ ରାଜା ଫ୍ରାନ୍ସିସ୍ ଜୋସେଫଙ୍କ ସୈନ୍ୟଦଳ ଅନ୍ୟପକ୍ଷରେ ଫରାସୀ ଶାସନ ତୃତୀୟ ନେପୋଲିୟନ୍ ସାର୍ଡିନିଆର ସହଯୋଗରେ ପ୍ରସ୍ତୁତ ସୈନ୍ୟସାମନ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା। ଯୁଦ୍ଧରେ ହଜାର ଅଫିସର ଓ ପଚାଶହଜାର ସୈନ୍ୟ ପ୍ରାଣ ହରାଇଲେ। ସହସ୍ରାଧିକ ଆହତ ହେଲେ। ବ୍ୟବସାୟୀ ଜଣକ ଏ ପରିସ୍ଥିତି ଦେଖି ଧୈର୍ଯ୍ୟଧରି ରହି ପାରିଲେ ନାହିଁ। ସେ ନିକଟର୍ବୀ ଗ୍ରାମଗୁଡ଼ିକୁ ଯାଇ ମହିଳା, ପୁରୁଷ କିଶୋର-କିଶୋରୀମାନଙ୍କୁ ଏକତ୍ରିତ କଲେ। ସେମାନଙ୍କ ସହାୟତାରେ ଆହତମାନଙ୍କର ଚିକିତ୍ସା ଆରମ୍ଭ କଲେ। ମୃତପ୍ରାୟ ବ୍ୟକ୍ତି ନିକଟରେ ବାଇବେଲ ପାଠକଲେ। ସେମାନଙ୍କ ପରିବାର ନିକଟକୁ ପତ୍ରଲେଖି ଖବର ପ୍ରେରଣ କଲେ। ଦିନକୁ ଦିନ ଆହତମାନେ ସୁସ୍ଥହେଲେ। ବ୍ୟବସାୟୀଜଣକ ନିଜସହର ଜେନେଭା ଫେରିଲାପରେ ଅମାନବୀୟ ଯୁଦ୍ଧର ବିଭୀଷିକା ଓ ଯୁଦ୍ଧକ୍ଷେତ୍ରରେ ଆହତମାନଙ୍କ ସେବାପାଇଁ କେତେକ ପ୍ରସ୍ତାବକୁ ଲିପିିବଦ୍ଧ କରି ୧୮୮୨ରେ ‘ସାଲଫରିନୋସ୍ମୃତି’ ନାମକ ଏକ ପୁସ୍ତକ ପ୍ରକାଶକରି ସମ୍ବେଦନଶୀଳ ୟୁରୋପୀୟମାନଙ୍କ ହୃଦୟ ଜୟ କରିପାରିଥିଲେ।
୧୮୬୩ରେ ଜେନେଭା ଜନମଙ୍ଗଳ ସମିତିର ସଭାପତି ଗୁସ୍ତାଭ ମୋନିରଙ୍କ ସମେତ ଜେନେରାଲ ଗୁଇଲାମ୍ ଡୁଫର, ଡାକ୍ତର ଥିଓଡର, ମୋନିର, ଡାକ୍ତର ଦୁଇ ଆପିୟାଙ୍କୁ ନେଇ ପାଞ୍ଚଜଣିଆ କମିଟି ଗଠନ କରାଗଲା। ସେତେବେଳେ ଏହାର ନାମ ରଖାଗଲା International Committee for relief of the wounded Commandants in Warfare। ପରବର୍ତ୍ତୀ ସମୟରେ ୧୯୬୪ ଅଗଷ୍ଟ ୮ରେ ୧୬ଟି ସ୍ବାଧୀନ ଦେଶର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ୧୫ ଦିନ ପର୍ଯ୍ୟନ୍ତ ଅନେକ ଆଲୋଚନା ପରେ ଏକ ପ୍ରସ୍ତାବ ଗୃହୀତ ହେଲା। ପୃଥିବୀର ଯେକୌଣସି ଅଞ୍ଚଳରେ ଯୁଦ୍ଧହେଲେ ଯୁଦ୍ଧଭୂମିର ଆହତ ସୈନିକମାନଙ୍କୁ ସାହାଯ୍ୟ ଓ ସେବାକରିବା ପାଇଁ ଗୋଟିଏ ସ୍ବେଚ୍ଛାସେବକ ବାହିନୀ ଦାୟିତ୍ୱ ନେବ ଏବଂ ସମିତିର ନାମରହିବ ‘ଅନ୍ତର୍ଜାତୀୟ ରେଡକ୍ରସ୍ ସମିତି’। ଦୀର୍ଘ ଏକାର୍ଦ୍ଧ ଶତରୁ ଅଧିକ ବର୍ଷ ବ୍ୟାପୀ ଅନ୍ତର୍ଜାତୀୟ ସ୍ତରର ସେବାଦଳର ପରିଚୟ ନେଇ ସମସ୍ତ ଦେଶରେ ସେବାଯୋଗାଇ ଆସୁଥିବା ରେଡକ୍ରସ୍ର ଜନକ ସୁଇଜରଲାଣ୍ଡର ବ୍ୟବସାୟୀ ଆଉକେହି ନୁହନ୍ତି ସେ ହେଲେ ଜନ୍ ହେନେରିଡୁନାଣ୍ଟ। ୧୮୨୮ ମେ’ ୮ରେ ସେ (ପିତା ଜାକୁଇସି ଓ ମାତା ଆଣ୍ଟୋନେଣ୍ଟୋକାଲାଡନ୍) ଜେନେଭା ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ଏ ମାଟି ”ରେଡ୍କ୍ରସ୍“ର ଜନ୍ମଦିନଭାବେ ପାଳନ କରିଆସୁଛି। ଏ ଦିବସ ଅବସରରେ ଚଳିତ ବର୍ଷର ଥିମ ରହିଛି-‘Keeping Humanity Alive: Hope, Help, Heal’। ମାନବିକତା, ନିରପେକ୍ଷତା, ଅପକ୍ଷପାତିତାକୁ ଅଙ୍ଗୀକାର କରି ସ୍ବାଧୀନ ତଥା ସ୍ବେଚ୍ଛାସେବୀ ଭାବରେ ବିଶ୍ୱବ୍ୟାପକତ୍ୱକୁ ପ୍ରତିପାଦିତ କରୁଥିବା ଏହି ରେଡ୍କ୍ରସ୍ର ମୂଳମନ୍ତ୍ର ହେଲା ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା।
-ଡା. ଅନନ୍ତ ଆଚାର୍ଯ୍ୟ, ଉପନିର୍ଦ୍ଦେଶକ, ଆୟୁଷ ବିଭାଗ