ଭୁବନେଶ୍ୱର,୧ା୩(ତ୍ରିନାଥ ମହାନ୍ତି): ପୁଣି ବନ୍ଧା ହୋଇଛନ୍ତି ବହୁ ଚର୍ଚ୍ଚିତ ପ୍ରେମିକ ତଥା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ। ପୂର୍ବରୁ ଅନେକ ଥର ଚୋରି କରି ଜେଲ୍ ଯାଇଥିବା ଟୁଙ୍ଗୁରୁ ଏଥର ଏକ ପାଣି ପମ୍ପ ଚୋରି କରି ଗିରଫ ହୋଇଛନ୍ତି।
ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ତମାଣ୍ଡୋ ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗକାରୀ ପ୍ରତାପ ଲିଙ୍ଗରାଜ ଥାନା ଅନ୍ତର୍ଗତ ରାଧିକା ନଗରରେ ରହୁଥିବା ବେଳେ ତମାଣ୍ଡୋ ଥାନା କଳିଙ୍ଗ ନଗର ପ୍ଲଟ୍ ନଂ. କେ-୪/୧୦୩୨ରେ ତାଙ୍କର ଏକ କୋଠାଘର କାମ ଚାଲିଛି। ଉକ୍ତ କୋଠାର ତଳ ମହଲାରେ ଲାଗିଥିବା ଏକ ପାଣି ମୋଟର ପମ୍ପକୁ ଗତ ୨୭ ତାରିଖରେ କେହି ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ତାଙ୍କୁ ଧରିଥିଲା। ପଚରାଉଚରା କରିବା ପରେ ସେ ପମ୍ପ ଚୋରି କରିଥିବା ମାନିଥିଲେ। ଏହାପରେ ଉକ୍ତ ମୋଟର ପମ୍ପକୁ ଜବତ କରାଯାଇଥିଲା।
ସୂଚନାଯୋଗ୍ୟ, ଅଭିଯୁକ୍ତ ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର ଥାନାରେ ଗୋଟିଏ ଏବଂ ତମାଣ୍ଡୋ ଥାନାରେ ୨ଟି ଆପରାଧିକ ମାମଲା ରହିଛି। ସେ ଦୁଇଟି ମାମଲାରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛନ୍ତି। ଜେଲରୁ ଫେରିବା ପରେ ପୁଣି ଚୋରିକୁ ଆପରାଇଛନ୍ତି।
ସୂଚନା ଥାଉକି, ଟୁଙ୍ଗୁରୁ ତାଙ୍କ ପ୍ରେମ ପାଇଁ ଅନେକ ଚର୍ଚ୍ଚିତ। ବର୍ଷା ଭୋଳଙ୍କୁ ପ୍ରେମ ବିବାହ କରି ସେ ଚର୍ଚ୍ଚାକୁ ଆସିଥିଲେ।