କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର ହେଉ ନ ଥିବାରୁ ସ୍କୁଲ ପରିବେଶ ସମେତ ଶ୍ରେଣୀ ଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଗଛ ମୂଳରେ ପାଠ ପଢ଼ାଉଛନ୍ତି। ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳର କର୍ମେ ପଞ୍ଚାୟତର ସୁରପଦର ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବହୁ ଦିନରୁ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ସମସ୍ତ ଶ୍ରେଣୀ ଗୃହ ଓ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ। ଯେଉଁ ସବୁ ଶ୍ରେଣୀ ଗୃହ ଅଛି ତାହାର ଛାତରୁ ସିମେଣ୍ଟ ଫାଟି ଖସି ପଡୁଛି। ଶିକ୍ଷକଙ୍କ ବୁଦ୍ଧିମାନ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଓ ଜୀବନ ବଞ୍ଚାଇବା ପାଇଁ ପିଲାଙ୍କୁ ଗଛ ତଳେ ପାଠ ପଢ଼ାଉଛନ୍ତି। ଏହି ପ୍ରାଥମିକ ବିଦ୍ୟାଳୟ ୧୯୬୧ ମସିହାରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୨୫ ଛାତ୍ରୀଛାତ୍ର ପଢୁଥିବା ବେଳେ ୨ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଶିଶୁ ବାଟିକାରୁ ୫ମ ଶ୍ରେଣୀ ଯାଏ ଥିବା ଏହି ବିଦ୍ୟାଳୟର ସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସୀମାନ୍ତ ଅଞ୍ଚଳରେ ସ୍ଥାପିତ ସୁରପଦର ପ୍ରାଥମିକ ବିଦ୍ୟାଳୟ ପ୍ରତି କାହାର ଦୃଷ୍ଟି ହେଉ ନାହିଁ। ଖୋଦ ନର୍ଲା ବିଧାୟିକାଙ୍କ ବାସ ଭବନଠାରୁ ପ୍ରାୟ ୩ କିମି ଦୂରରେ ଏହି ପ୍ରାଥମିକ ବିଦ୍ୟାଳୟ ଅବସ୍ଥାପିତ କିନ୍ତୁ ବିଧାୟିକାଙ୍କ ମଧ୍ୟ ଦୃଷ୍ଟି ନାହିଁ। ଯାହାଫଳରେ ଶିକ୍ଷାଦାନରେ ବାଧା ପ୍ରାପ୍ତ ହେବା ସହ ବିପଦସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହ ପଡ଼ିରହିଛି। ଗ୍ରାମର ଅଭିଭାବକ ଶିକ୍ଷା କମିଟି ସଭାପତି ଓ ପ୍ରଧାନଶିକ୍ଷକ ବହୁବାର ଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ। ଏ ସଂକ୍ରାନ୍ତରେ ଶିକ୍ଷା କମିଟି ସଭାପତି ରଜନୀକାନ୍ତ ରେଡ୍ଡୀଙ୍କୁ ପଚାରିବାରୁ ଶିକ୍ଷା ବିଭାଗର ବିଇଓ ଏବଂ , ବିଡିଓ ଙ୍କୁ ବହୁ ଲିଖିତ ଅଭିଯୋଗ କରିଛୁ କେହି ବି ସୀମାନ୍ତ ଅଞ୍ଚଳ କୁ ଦୃଷ୍ଟି ଦେଉ ନାହାନ୍ତି। ଯଦି ୧୫ ଦିନ ଭିତରେ ଶିକ୍ଷା ବିଭାଗ କିଛି ବିଚାର ନ କରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲରେ ଗଣଧାରଣା ଦେଇ ତାଲା ବନ୍ଦ କରିବୁ ବୋଲି ପ୍ରକାଶ କରିଥିଲେ। ଏ ନେଇ ପ୍ରଧାନଶିକ୍ଷକ ମନୋଜ କୁମାର ଶବରଙ୍କୁ ପଚାରିବାରୁ ସବୁ ଶ୍ରେଣୀ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି, କେତେ ବେଳେ ଛାତ ପଡ଼ିବ କେହି କହି ପାରିବେ ନାହିଁ। ତେଣୁ ଶିକ୍ଷା ବିଭାଗ ଯଥା ଶୀଘ୍ର ନୂତନ ସ୍କୁଲ ଘର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରନ୍ତୁ ନଚେତ୍ ଖରା ବର୍ଷାରେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ କ୍ଷେତ୍ରରେ ଅସୁବିଧା ହେବ ବୋଲି ପ୍ରକାଶ କରିଛନ୍ତି।