Children look on as another receives a dose of the Pfizer-BioNTech coronavirus disease (COVID-19) vaccine at Smoketown Family Wellness Center in Louisville, Kentucky, U.S., November 8, 2021. REUTERS/Jon Cherry
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ଶିଶୁ। ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ ସହ ରାଜ୍ୟ ପୋଲିସର ସ୍ବତନ୍ତ୍ର ସେଲ ଓ ଆଇନ ରହିଥିଲେ ମଧ୍ୟ ବାସ୍ତବରେ ସେମାନେ ସୁରକ୍ଷିତ ନାହାନ୍ତି। ଶିଶୁ ହତ୍ୟା, ଶାରୀରିକ ନିର୍ଯାତନା, ଯୌନ ଉତ୍ପୀଡ଼ନ, ଅପହରଣ, ଆକ୍ରମଣ ଆଦି ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହ ଜାତୀୟ ହାରଠାରୁ ଓଡ଼ିଶାର ହାର ବହୁ ଅଧିକ ରହୁଛି।
ନ୍ୟାଶନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁସାରେ, ଶିଶୁଙ୍କ ପ୍ରତି ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ଦେଶର ୭ମ ରାଜ୍ୟ ଥିଲା। ଉକ୍ତ ବର୍ଷରେ ୬,୩୩୦ଜଣ ଶିଶୁ ବିଭିନ୍ନ ଅପରାଧର ଶିକାର ହୋଇଥିଲେ। ଏହାପରଠାରୁ ଶିଶୁ ଅପରାଧରେ ଓଡ଼ିଶାର ହାର ବଢ଼ିବାରେ ଲାଗିଛି। ୨୦୧୭ ତୁଳନାରେ ପ୍ରାୟ ଦୁଇଗୁଣ ବଢ଼ିଥିବା ଦେଖାଯାଇଛି। ୨୦୧୭ରେ ଏ କ୍ଷେତ୍ରରେ ଦେଶରେ ଓଡ଼ିଶାର ହାର ୨.୫% ଥିବାବେଳେ ୨୦୧୮ରେ ୩.୭%, ୨୦୧୯ରେ ୪.୭% ଓ ୨୦୨୦ରେ ୪.୯% ରହିଛି। ସେହିଭଳି ୨୦୧୯ରେ ଦେଶରେ ପ୍ରତି ଏକଲକ୍ଷରେ ଶିଶୁଙ୍କ ପ୍ରତି ଅପରାଧ ୩୩.୨% ଥିବାବେଳେ ଓଡ଼ିଶାରେ ୪୯.୯% ରହିଥିଲା। ୨୦୨୦ରେ ଦେଶରେ ୨୮.୯% ଥିବାବେଳେ ଓଡ଼ିଶାରେ ଏହି ହାର ୪୩.୯% ରହିଥିଲା।
ସେହିଭଳି କେବଳ ଶିଶୁ ଅପହରଣରେ ରାଜ୍ୟର ହାର ମଧ୍ୟ ବହୁ ଅଧିକ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ରେ ଦେଶରେ ପ୍ରତି ୧ ଲକ୍ଷରେ ଶିଶୁ ଅପହରଣ ହାର ୧୫.୫% ଥିବାବେଳେ ଓଡ଼ିଶାରେ ଏହା ୩୨.୮% ରହିଥିଲା। ୨୦୨୦ରେ ଦେଶରେ ଏହି ହାର ୧୨.୩% ଥିବାବେଳେ ଓଡ଼ିଶାରେ ୨୭.୨% ଥିଲା। ସେହିପରି ପୋକ୍ସୋ ଅଧୀନରେ ଆସୁଥିବା ଅପରାଧ ହାର ଦେଶ ତୁଳନାରେ ରାଜ୍ୟରେ ଅଧିକ ରହିବା ସହିତ କ୍ରମାଗତ ଭାବେ ବଢ଼ୁଥିବା ଦେଖାଯାଇଛି। ୨୦୧୭ରେ ଦେଶରେ ଏହି ହାର ୧.୮% ଥିବାବେଳେ ଓଡ଼ିଶାରେ ୭.୩% ରହିଛି। ୨୦୧୮ରେ ଜାତୀୟ ହାର ୮.୯%, ୨୦୧୯ରେ ୧୦.୬% ଏବଂ ୨୦୨୦ରେ ୧୦.୬% ରହିଥିଲା। ତେବେ ଏହି ବର୍ଷଗୁଡ଼ିକରେ ଓଡ଼ିଶାରେ କ୍ରମାଗତ ଭାବେ ୧୩.୪%, ୧୪.୫% ଏବଂ ୧୫.୩% ରହିଥିଲା। ଏହି ରିପୋର୍ଟକୁ ତର୍ଜମା କଲେ ଓଡ଼ିଶା ଶିଶୁ ସବୁବେଳେ ଅସୁରକ୍ଷିତ ହୋଇ ରହି ଆସିଛନ୍ତି।