ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ ୩ ଭଉଣୀ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ୧୨, ୧୪ ଓ ୧୬ ବର୍ଷ ବୟସର ଏହି ତିନି ଭଉଣୀ ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଥିଲେ। ସେମାନଙ୍କ ଆସକ୍ତି ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ଅଭିଭାବକ ତାହାକୁ ଛଡ଼ାଇ ନେଇଥିଲେ। ଏହି କ୍ରୋଧରେ ୩ ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଦ୍ୱିତୀୟ ଦୁଃଖଦ ଖବରଟି ବିହାରର ଔରଙ୍ଗାବାଦରେ ଘଟିଛି। ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ନାବାଳିକାଙ୍କୁ ସେମାନଙ୍କ ମା’ବାପା ଗାଳି କରିବାରୁ ୫ ନାବାଳିକା ଏକାଠି ବିଷ ପିଇ ଦେଇଥିଲେ। ପରିଣତି ୪ ଜଣଙ୍କ ଜୀବନ ନେବାରେ ଶେଷ ହୋଇଥିବା ବେଳେ ଜଣେ ବଞ୍ଚତ୍ୟାଇଛନ୍ତି। ୨୯ ଜାନୁଆରୀରେ ଏହି ଘଟଣା ଘଟିଥିଲେ ମଧ୍ୟ ୯ ଫେବୃଆରୀରେ ତାହା ଲୋକଲୋଚନକୁ ଆସିଛି। ଜୀବିତ ନାବାଳିକା ସବୁ କଥା ବଖାଣିଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ, ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ।
ପ୍ରଥମ ଘଟଣାର ପୁନରାବୃତ୍ତି ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ବାରମ୍ବାର ଘଟୁଛି। ଗଣମାଧ୍ୟମ ଆଢ଼ୁଆଳରେ ରହିଯାଉଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚପିଯାଉଛି। ଏହି ବିଷୟ ପ୍ରଘଟ ହେବା ପରେ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକମାନେ ଚିନ୍ତାରେ ପଡ଼ିଯିବା ସ୍ବାଭାବିକ। ଘରେ କେଉଁଭଳି ସଂସ୍କାରର ଅଭାବ ଓ ସ୍କୁଲରେ କେଉଁ ଧରଣ ଶିକ୍ଷାରୁ ବଞ୍ଚତ୍ତ ହେଲେ ଏଭଳି ଘଟଣା ଘଟିପାରେ, ଭାବିଲା ବେଳକୁ ଅନେକଙ୍କ ମୁଣ୍ଡ ଝାଇଁଝାଇଁ ହେଉଥିବ। ସ୍ମାର୍ଟଫୋନ୍ର ପ୍ରାବଲ୍ୟ ପିଲାଙ୍କ ପାଇଁ କୋଭିଡ୍ ସମୟରୁ ବଢ଼ିଯାଇଛି। ସ୍କୁଲ ବନ୍ଦ ହୋଇଯିବା ପରେ ଅନ୍ଲାଇନ୍ କ୍ଲାସ ହୋଇଥିଲା ଶିକ୍ଷା ପ୍ରଦାନର ବିକଳ୍ପ ଧାରା। କିନ୍ତୁ ତାହା ଆସକ୍ତି ପାଲଟିଯିବାରୁ ବିଡ଼ମ୍ବନା ଆରମ୍ଭ ହେଲା। ସ୍ମାର୍ଟଫୋନ୍ ପଢ଼ା ପାଇଁ ବିଶେଷ ଉପଯୋଗୀ। କିନ୍ତୁ ପଢ଼ା ବ୍ୟତିରେକେ ତାହାକୁ ଅପବ୍ୟବହାର କରାଗଲେ ଫଳ ମୃତ୍ୟୁକୁ ଡାକିଆଣୁଛି। ସମ୍ଭବତଃ ଭୟଙ୍କର ସ୍ଥିତିକୁ ଉପଲବ୍ଧି କରିବା ପରେ ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଏକ ଆଇନ ଆଣି ୧୬ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନିଷିଦ୍ଧ କରିଛି। ତାହା ଦେଖାଦେଖି କେତେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ସମାନ ଆଇନ ଆଣିବା ଲାଗି ଚିନ୍ତା କଲେଣି। ଭାରତ ଏ ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ଗୋଟେ ଚାପ ସୃଷ୍ଟି ହେଲାଣି। ସୂଚନା ବା ଶିକ୍ଷା ପାଇବା ପାଇଁ ସର୍ଚ୍ଚ ଇଞ୍ଜିନ୍ଗୁଡ଼ିକ ସକ୍ରିୟ ଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ କଣ୍ଟେଣ୍ଟ୍ ଏବଂ ପିଲାଙ୍କୁ ଆକୃଷ୍ଟ କଲା ଭଳି ଗେମ୍ ହାଉଯାଉ ହେଉଥିବାରୁ ପିଲେ ବାୟା। ପିଲାମାନଙ୍କ ମନ ସର୍ବଦା ଚଞ୍ଚଳ। ଏମିତି ବି ମଣିଷର ଚରିତ୍ର ନକାରାତ୍ମକତାକୁ ଶୀଘ୍ର ଗ୍ରହଣ କରି ନେଇଥାଏ। ସେହି ଦୃଷ୍ଟିରୁ ଦେଖିଲେ, ଲୋଭାତୁର ବିଷୟ ଆଖିରେ ପଡ଼ିଗଲେ ସେଥିରୁ ଦୃଷ୍ଟି ହଟାଇବା କଷ୍ଟକର। ସମ୍ଭ୍ରମ ହେଉ ବା ଲୋକଲଜ୍ଜାକୁ ଡରି ବୟସ୍କ ବ୍ୟକ୍ତି ନିଜେ ଜାକିଜୁକି ହୋଇପାରେ, କିନ୍ତୁ ପିଲାକୁ ତାହା କବଳିତ କରିଦେଲେ ଆସକ୍ତିରେ ଶୀଘ୍ର ଅନ୍ତ ଘଟେନି। ଏଇଠି କୁହାଯାଇପାରେ ଯେ, ପିଲା ଏକୁଟିଆ ରହିଲେ କିମ୍ବା ତା’ ପ୍ରତି ମାତାପିତାଙ୍କ ଆବେଗିକ ସମ୍ପର୍କ ଊଣା ହେଲେ କିମ୍ବା ଦୁର୍ବଳ ପାରିବାରିକ ସମ୍ପର୍କ ସେମାନଙ୍କୁ ସ୍ମାର୍ଟଫୋନ୍ ସର୍ବସ୍ବ କରିଦିଏ। ଏଥିପାଇଁ ମାତାପିତା ଓ ବୟସ୍କମାନେ ବେଶି ଦାୟୀ। ପିଲାମାନଙ୍କୁ ଶାରୀରିକ ଖେଳକୁଦରେ ନ ମିଶାଇଲେ, ଭ୍ରମଣପ୍ର୍ରିୟ କରିବାର ଅବସର ସୃଷ୍ଟି ନ କଲେ ଏବଂ ସର୍ବୋପରେ ପାରିବାରିକ ହସଖୁସି ପାଇଁ ସମୟ ନ ଦେଲେ ସେମାନେ ବିଗିଡ଼ିଯିବା ଥୟ। ଗାଜିଆବାଦ ଘଟଣାରେ ସ୍ଥିତି କ’ଣ ଥିଲା ତାହା ଦୂରରୁ କହିବା ସମ୍ଭବ ନୁହେଁ। କିନ୍ତୁ ସ୍ମାର୍ଟଫୋନ୍ ବ୍ୟବହାର କରିବା ସଂକ୍ରାନ୍ତରେ ମାତାପିତା କେଉଁଭଳି ପରାମର୍ଶ ଦେଇ ସେମାନଙ୍କୁ ନିୟନ୍ତ୍ରଣ ଭିତରେ ରଖିଥିଲେ ଭଲ ହୋଇଥାଆନ୍ତା, ତାହା ମନସ୍ତାତ୍ତ୍ୱିକ ପ୍ରଶ୍ନର ଉତ୍ତର ଅପେକ୍ଷା କରେ। ଖୁବ୍ କମ୍ ବୟସର ୩ ଭଉଣୀ ଜଣକ ପରେ ଜଣେ ୯ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି ଆପରାଧିକ ଘଟଣା ଘଟିଛି, ତାହା ତଦନ୍ତସାପେକ୍ଷ। ଯଦି ସ୍ମାର୍ଟଫୋନ୍ ଆସକ୍ତି ଯୋଗୁ ସେଥିରୁ ନିବୃତ୍ତ ରହିବା ପାଇଁ ପାରିବାରିକ ଚାପ ପଡ଼ିଥାଏ, ତେବେ ସମଗ୍ର ବୟସ୍କ ବର୍ଗଙ୍କ ପାଇଁ ଏହା ଏକ ସତର୍କଘଣ୍ଟି ବୋଲି କୁହାଯାଇପାରେ।
ପ୍ରଥମ ଘଟଣା ସହ ଦ୍ୱିତୀୟ ଘଟଣାର ସାମଞ୍ଜସ୍ୟ ପିଲାମାନଙ୍କ ବୟସକୁ ନେଇ ହୋଇପାରେ। କିନ୍ତୁ ସ୍ଥିତି ଭିନ୍ନ। ୧୦ରୁ ୧୪ ବର୍ଷ ବୟସର ନାବାଳିକାମାନେ ପୁଅମାନଙ୍କ ସହ ଏମିତି କିଭଳି ମିଳାମିଶା କରୁଥିଲେ ଯେ, ସାମାନ୍ୟ ମା’ବାପାଙ୍କ ଗାଳି ସେମାନଙ୍କୁ ମରିବାକୁ ବାଧ୍ୟ କଲା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ପିଲାମାନେ ଅବାଟରେ ଗଲେ ମାତାପିତା ଓ ଅଭିଭାବକ ଆକଟ କରିଥାଆନ୍ତି। ପିଲାଙ୍କୁ ନିୟନ୍ତ୍ରଣରେ ରଖିବା ମଧ୍ୟ ବଡ଼ଙ୍କ କର୍ତ୍ତବ୍ୟ। ସ୍ବଳ୍ପ ବୟସରେ ସେମାନେ ପ୍ରିଭେସି ବିଷୟରେ ଯଦି ସଚେତନ ହୋଇଥିବେ, ତେବେ ସେମାନଙ୍କ ବିଚାରଶୀଳତାକୁ ମଧ୍ୟ ପରଖିବା ଦରକାର। ଯଦି ସେମାନେ ମାତାପିତାଙ୍କ ଗାଳିରେ ଭୟଭୀତ ହୋଇଯାଇଥିବେ, ତାହା ହେଲେ ଚରମ ପଦକ୍ଷେପ ନେବାକୁ ମନସ୍ଥ କରିଥାଇପାରନ୍ତି। ଏଥିରୁ ବୁଝାପଡ଼ୁଛି ଯେ, ଏବେକାର ପିଲାମାନେ ଅତ୍ୟଧିକମାତ୍ରାରେ ଭାବପ୍ରବଣ ହୋଇପଡ଼ୁଛନ୍ତି। ଏଥିପାଇଁକି ସାମାଜିକ ଚାପ ଓ ବିଶେଷକରି ସାମାଜିକ ଗଣମାଧ୍ୟମର ଭୂମିକା ରହୁଛି। ଏହାର ଏକମାତ୍ର ଔଷଧ ହୋଇପାରେ ପିଲାଙ୍କ ସହିତ ଅଭିଭାବକମାନେ ଅଧିକ ସମୟ ବିତାଇବା ଏବଂ ସେମାନଙ୍କ କଥା ଶୁଣି ତାଙ୍କ ମାନସିକତାକୁ ଠଉରାଇବା । ଏହାବ୍ୟତୀତ, ବୋଧହୁଏ, ଅନ୍ୟ କୌଣସି ସମାଧାନ ନ ଥାଇପାରେ।
Dharitri – Odisha’s No.1 Odia Daily

