ପୁରୀ,୧୩।୧୦: ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରହି ହବିଷିଆଳିମାନେ ପୁରୀରେ ବ୍ରତ ପାଳନ କରୁଛନ୍ତି। ବିଭିନ୍ନ ହବିଷିଆଳି କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଉଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ନିମନ୍ତେ ପୁରୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଚାଲିଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ‘ସନ୍ଦର୍ଭ ମେ ଭାରତୀୟ ଜ୍ଞାନ ପରମ୍ପରା’ ଆଲୋଚନାଚକ୍ରରେ ଯୋଗଦେଇଛନ୍ତି।
ପୁରୀ ଗସ୍ତରେ ଯାଉଥିବା ବେଳେ କାଦୁଆଠାରେ ଅଟକି ପଇଡ଼ ପିଇଛନ୍ତି । ପଇଡ଼ ପିଇବା ପରେ ଦୋକାନୀଙ୍କୁ ୧୦୦୦ ଟଙ୍କା ଦେବା ସହ ତାଙ୍କ ସହ ସୁଖଦୁଃଖ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ପଇଡ଼ ପିଆଇ ଖୁସି ହୋଇଛନ୍ତି ପଇଡ଼ ବ୍ୟବସାୟୀ ଶ୍ରୀଧର।
ସେହିପରି ଅପରାହ୍ନ ୪ଟା ୪୫ରେ ସେ ବୃନ୍ଦାବତୀ ନିବାସ ହବିଷିଆଳି କେନ୍ଦ୍ରରେ ପହଞ୍ଚତ୍ ହବିଷିଆଳି ମା’ମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।