କୋଲକାତା ଗଣବଳାତ୍କାର ପୀଡ଼ିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କହିଦେଲେ ଏମିତି କଥା

ଭୁବନେଶ୍ୱର,୧୪ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ଦୁର୍ଗାପୁରଠାରେ ଗଣବଳାତ୍କାରର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା’ ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି, ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି। ଝିଅ ଯେପରି ଶୀଘ୍ର ସୁସ୍ଥ ହେବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତାଙ୍କ ମା’ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ। ସେଠାରେ ଉପସ୍ଥିତ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷାକରି ଝିଅକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହିତ, ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍‌ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ପୃକ୍ତ ପୀଡ଼ିତା ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଝିଅ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ।

 

Dharitri – Odisha’s No.1 Odia Daily