ଶହେବର୍ଷର ଆହ୍ବାନ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂର୍ତ୍ତି ହେବାକୁ ଆଉ ଏଗାର ବର୍ଷ ବାକି ଅଛି। ଗୋଟିଏ ପ୍ରଦେଶକୁ ଶହେ ବର୍ଷ ପୂରଣ ହେବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ। ଏହି ଅବସରରେ ରାଜ୍ୟ ସରକାର, ରାଜନୈତିକ ଦଳ ଓ ବିଭିନ୍ନ ସଙ୍ଗଠନମାନଙ୍କ ତରଫରୁ ଓଡ଼ିଶା ଶହେବର୍ଷକୁ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କିନ୍ତୁ ପ୍ରଶ୍ନ ଉଠୁଛି, ଓଡ଼ିଶା ଶହେବର୍ଷକୁ କେବଳ କ’ଣ ଗୋଟେ ଉତ୍ସବ ଭାବେ ପାଳନ କରାଯିବ ନା ବାସ୍ତବ ଅର୍ଥରେ ଏକ ସଂପନ୍ନ ତଥା ବିକଶିତ ଓ ଅସଲ ଉପଲବ୍ଧିକୁ ପାଳନ କରାଯିବ! ୧୯୩୬ ମସିହା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଠାରୁ ହିସାବ କଲେ ଆଜି ଅଣାନବେ ବର୍ଷରେ ପହଞ୍ଚତ୍ଥିବା ଓ ପ୍ରତିଦିନର ଖବରକାଗଜ ଖୋଲିଲେ ଆମ ଓଡ଼ିଶା ଅବସ୍ଥା ଯାହା ଦିଶୁଛି, ଖବରକୁ ଆସିପାରୁ ନ ଥିବା ଆହୁରି ଅନେକ ଘଟଣାକୁ ମିଶାଇଲେ ତା’ର ଦୁଃଖଦ ପରିସ୍ଥିତି ସ୍ପଷ୍ଟ ବିଦ୍ୟମାନ। ଦେଶ ଓ ରାଜ୍ୟ ଅର୍ଥନୈତିକ ପ୍ରଗତିର ଡେଙ୍ଗୁରା ପିଟୁଥିବା ବେଳେ ଓ ଗଁା ଲୋକମାନେ ଚୁଆପାଣି ପିଇବା, ବିନା ବିଜୁଳିରେ କାଳ କାଟିବା, ଗର୍ଭବତୀ ମହିଳା ଭାରରେ ବୁହା ହୋଇ ଡାକ୍ତରଖାନା ଯିବା, ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁବରଣ କରିବା, ରୋଜଗାର ପାଇଁ ଲକ୍ଷ ଲକ୍ଷ ଯୁବକ ଦାଦନ ଯିବା, ଋଣ ଭାରରେ ଚାଷୀ ଆତ୍ମହତ୍ୟା କରିବା, ସରକାରୀ ବିଦ୍ୟାଳୟରେ ଛାତ୍ରଙ୍କ ସଂଖ୍ୟା କମିବା, ପ୍ରାକୃତିକ ସମ୍ପଦର ଆଖିବୁଜା ଶୋଷଣ ହେବା ଓ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ଏବେ ବି ଏକ ବଡ଼ ଆହ୍ବାନ ହୋଇ ଠିଆ ହୋଇଛି। ଏଇ ସବୁ ଘା’କୁ ଦେହରେ ବୁହାଇ ଓଡ଼ିଶା କ’ଣ ନିଜର ଶହେତମ ଜନ୍ମଦିବସ ପାଳନ କରିପାରିବ? ଶହେତମ ସ୍ବନକ୍ଷତ୍ର ପାଳନ କରିବା ବେଳକୁ ଆମେ କ’ଣ ଓଡ଼ିଶାର ଏ ରୂପକୁ ବଦଳେଇପାରିବା ନାହିଁ? ଆସନ୍ତା ଏଗାର ବର୍ଷରେ ଏହା ହିଁ ଆମ ସମସ୍ତଙ୍କ ପାଇଁ ଆହ୍ବାନ ହୋଇପାରିବ କି?
ସଂପ୍ରତି ରାଜ୍ୟ ସରକାର ଶହେ ବର୍ଷର ଓଡ଼ିଶା ୨୦୩୬ ପାଇଁ ଏକ ଭିଜନ ଦସ୍ତାବିଜ ପ୍ରସ୍ତୁତ କରି ପ୍ରକାଶିତ କରିଛନ୍ତି। ଏହି ଭିଜନ ଦସ୍ତାବିଜ ସେତେବେଳେ ପ୍ରକାଶ ହୋଇଛି, ଯେତେବେଳେ ସାରା ଓଡ଼ିଶା ଯାଜପୁରଠୁ ସୁନ୍ଦରଗଡ଼ଯାଏ ହଇଜା ଆତଙ୍କରେ ଆତଙ୍କିତ। ଗୋପାଳପୁରରେ ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ସାମ୍ନାରେ ଗଣବଳାତ୍କାରର ଶିକାର ହୋଇଛନ୍ତି। ଗଞ୍ଜାମ ଜିଲାରେ ଦୁଇଜଣ ଦଳିତଙ୍କୁ ସ୍ବଘୋଷିତ ଗୋରକ୍ଷକଙ୍କ ଦ୍ୱାରା ଲଣ୍ଡା କରି, ମାଡ଼ ମାରି, ବେକରେ ଚପଲମାଳ ପକେଇ ଅମାନବୀୟ ନିର୍ଯାତନା ଦିଆଯାଇଛି। କଳାହାଣ୍ଡି ଜିଲାର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଲାଞ୍ଚ ନେବାବେଳେ ଧରା ପଡ଼ିବା। ଯଦି କେବଳ ଏହି ତିନୋଟି ଘଟଣାକୁ ବିଚାରକୁ ନିଆଯାଏ, ତେବେ ୧୯୩୬ ମସିହାର ଓଡ଼ିଶା ଅପେକ୍ଷା ଆଜିର ଓଡ଼ିଶା ଆହୁରି ଖରାପ ପରିସ୍ଥିତିରେ ଅଛି ବୋଲି ମାନିବାକୁ ପଡ଼ିବ। ୨୦୨୫ ମସିହାରେ ଯେତେବେଳେ ଜ୍ଞାନକୌଶଳ ଓ ସଞ୍ଚାରକ୍ରାନ୍ତିର ବିକାଶ ଚରମ ସୀମାରେ ପହଞ୍ଚତ୍ଛି, ସେତେବେଳେ ଓଡ଼ିଶା ଦୂଷିତ ପାନୀୟ ଜଳଜନିତ ରୋଗରେ ପଡ଼ି କେବଳ ଦୁର୍ଭାଗ୍ୟଜନକ ନୁହେଁ, ଆମ ବିକାଶର ବାହୁସ୍ଫୋଟ ଗାଲରେ ଏକ ଶକ୍ତ ଚାପୁଡ଼ା। ଗୋପାଳପୁର ପରି ପର୍ଯ୍ୟଟନସ୍ଥଳୀରେ ବି ମହିଳା ବଳାତ୍କାରର ଶିକାର ହେବା, ଦଳିତଙ୍କ ଉପରେ ଅମାନବୀୟ ଅତ୍ୟାଚାର ହେବା, ଉଚ୍ଚ ବେତନଭୋଗୀ ସରକାରୀ ଅଧିକାରୀ ଦୁର୍ନୀତିଗ୍ରସ୍ତ ହେବା, ଅବକ୍ଷୟମୁଖୀ ସାମ୍ପ୍ରତିକ ଓଡ଼ିଶାର ପରିଚୟ। ଏସବୁ ସମସ୍ୟାର ଉପଯୁକ୍ତ ସମାଧାନ କରିବା ହେଉଛି ଶହେବର୍ଷର ଓଡ଼ିଶା ସବୁଠାରୁ ବଡ଼ ଆହ୍ବାନ।
ଆଜିକାଲି ସରକାରଙ୍କ ସବୁଠାରୁ ବଡ଼ କୌଶଳ ହେଉଛି ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିକୁ ଅସ୍ବୀକାର କରିବା, ଗଣମାଧ୍ୟମକୁ ହାତ କରି ନିଜର ମହିମା ଗାନ କରିବା ଓ ଉତ୍ତରଦାୟିତ୍ୱକୁ ଏଡ଼ିଯାଇ ବିରୋଧୀ ଦଳକୁ କଟାକ୍ଷ କରିବା। ବର୍ତ୍ତମାନର ବାସ୍ତବିକ ପରିସ୍ଥିତିକୁ ଅସ୍ବୀକାର କରି ଭବିଷ୍ୟତର ସ୍ବପ୍ନ ଦେଖାଇବା କେବଳ ସ୍ବପ୍ନର ମହଲ ଗଢ଼ିବା ସହିତ ସମାନ। କାରଣ ବର୍ତ୍ତମାନକୁ ସ୍ବୀକାର କଲେ ହିଁ ସମସ୍ୟାର ସମାଧାନ କରି ଏକ ସୁନ୍ଦର ଭବିଷ୍ୟତ ଗଢ଼ିହେବ। ସଂପ୍ରତି ସରକାର ୨୦୩୬ ପାଇଁ ପ୍ରକାଶ କରିଥିବା ଦସ୍ତାବିଜ୍‌ ବର୍ତ୍ତମାନ ଓଡ଼ିଶାର ଦୁଃସ୍ଥ ପରିସ୍ଥିତିକୁ ସ୍ବୀକାର କରୁଛି ବୋଲି ଜଣାପଡ଼ିବ। ‘ବର୍ଷ ଏକ ଉପଲବ୍ଧି ଅନେକ’ ସ୍ଲୋଗାନ୍‌ ଏହାର ଏକ ଜ୍ୱଳନ୍ତ ଉଦାହରଣ।
ସ୍ବତନ୍ତ୍ର ଓଡ଼ିଶା ଶହେବର୍ଷ ପୂର୍ତ୍ତି ପାଳନ କରିବାକୁ ଯିବା ବେଳେ, ଓଡ଼ିଶାକୁ ବେଆଇନ ବାଂଲାଦେଶୀଙ୍କ କବଳରୁ ମୁକ୍ତ କରିବା ସହିତ ଦାଦନମୁକ୍ତ କରିପାରିବା କି? ଦଳିତ, ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ କରିପାରିବା କି? ପ୍ରାକୃତିକ ସମ୍ପଦର ଅସଲ ଜଗୁଆଳି ଓ ଆଦିବାସୀଙ୍କ ଜଙ୍ଗଲ, ପାହାଡ଼, ଝରଣା ଉପରେ କମ୍ପାନୀ ଶୋଷଣକୁ ବନ୍ଦ କରି ସେମାନଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବା ପାଇଁ ଉପଯୁକ୍ତ ସୁଯୋଗ ଦେବା ନିମନ୍ତେ ସରକାର ପଦକ୍ଷେପ ନିଅନ୍ତୁ। ତଥାକଥିତ ଅର୍ଥନୈତିକ ବିକାଶ ଓ ହାତଗଣତି ପୁଞ୍ଜିପତିଙ୍କ ବିକାଶ ପାଇଁ ଆଖିବୁଜା ପ୍ରାକୃତିକ ସମ୍ପଦର ଲୁଣ୍ଠନ ବନ୍ଦ କରି ଏକ ଚିରନ୍ତନ ବିକାଶଖସଡ଼ା, ଯେଉଁଥିରେ ବ୍ୟକ୍ତି, ସମାଜ ଓ ପ୍ରକୃତି ସହିତ ସନ୍ତୁଳନ ବଜାୟ ରହୁଥିବ, ତାହା ଉତ୍କଳ ଜନନୀ ତା’ର ସନ୍ତାନମାନଙ୍କ ପାଖରୁ ଆଶା କରେ। ଏହିପରି ବିକଳ୍ପ ବିକାଶର ନକ୍ସା ଓଡ଼ିଶା ମାଟିରୁ ଆରମ୍ଭ ହୋଇ ସାରା ଦେଶକୁ ଆଲୋକ ଦେଖାଉ। ସ୍ଥାନୀୟ ଅଞ୍ଚଳର ସମ୍ବଳ ଓ ଉତ୍ପାଦନ ପ୍ରଥମେ ସ୍ଥାନୀୟ ଲୋକଙ୍କ ଉନ୍ନତି ପାଇଁ ବ୍ୟବହାର ହେଉ। ତା’ହେଲେ ଯାଇ ବେକାରି ସମସ୍ୟାକୁ ସମାଧାନ କରାଯାଇପାରିବ। ଗୋରକ୍ଷା ସହିତ ନାରୀ ସୁରକ୍ଷା ମଧ୍ୟ ଆମର ବ୍ରତ ହେଉ। ମହିଳାଙ୍କ ସାମାଜିକ ସୁରକ୍ଷା ବିନା ଅର୍ଥନୈତିକ ବିକାଶ ପଙ୍ଗୁ ଓ ଅଥର୍ବ। ସାଧାରଣ ଲୋକଟିଏକୁ କୌଣସି ବି ସରକାରୀ କାର୍ଯ୍ୟରେ ଲାଞ୍ଚ ଦେବାକୁ ପଡ଼ିବ ନାହିଁ କି ସରକାରୀ ବିକାଶମୂଳକ ପ୍ରକଳ୍ପରେ ପି.ସି. ପ୍ରଚଳନ ହେବ ନାହିଁ। ସରକାର ଏହାକୁ ନିଶ୍ଚିତ କରିପାରିବେ କି? ଶାସନରେ ସାଧାରଣ ଲୋକଙ୍କ ବାସ୍ତବିକ୍‌ ଭାଗୀଦାରି ହେଲେ ହିଁ ପ୍ରତ୍ୟେକ ବିକାଶ କାର୍ଯ୍ୟ ଲୋକାଭିମୁଖୀ ହୋଇପାରିବ। ଗ୍ରାମସଭା ଓ ପଲ୍ଲିସଭାକୁ ରାଜନୈତିକ ଦଳଙ୍କ ପ୍ରଭାବରୁ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଗଲେି ଗ୍ରାମସ୍ବରାଜର ଅସଲ ଅବଧାରଣା ପ୍ରତିଷ୍ଠା ହୋଇପାରିବ। ଭୁବନେଶ୍ୱରରେ ବଡ଼ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ହେବା ସହିତ ଗ୍ରାମାଞ୍ଚଳରେ ଯେଉଁଠି ଜନସଂଖ୍ୟାର ବୃହତ୍‌ ଭାଗ ସ୍ବାସ୍ଥ୍ୟ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି, ତାଙ୍କ ପାଖରେ ତଥା ବ୍ଲକସ୍ତରରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ଉପଲବ୍ଧି କରାନଗଲେ ଓଡ଼ିଶା ସ୍ବାସ୍ଥ୍ୟ ସୁରକ୍ଷା ହେବ କିପରି? ଭାଷାଭିତ୍ତିରେ ଗଠନ ହୋଇଥିବା ଓଡ଼ିଶା ଶାସନ, ନିଯୁକ୍ତି, ଶିକ୍ଷା, ପରୀକ୍ଷା ଆଦି ଓଡ଼ିଆ ଭାଷାରେ ହେବା ଉଚିତ ନୁହେଁ କି! ଓଡ଼ିଶା ଅସ୍ମିତାର ଏହାଠାରୁ ବଡ଼ ପ୍ରତୀକ ଆଉ କ’ଣ ଅଛି?
ସ୍ବତନ୍ତ୍ର ଓଡ଼ିଶା ଶହେବର୍ଷ ହେବା ବେଳକୁ ଯଦି ଏସବୁ ହୋଇନଥିବ, ତେବେ ସେ ଉତ୍ସବ କେବଳ ଉତ୍ସବରେ ହିଁ ସୀମିତ ରହିବ। ଉପରୋକ୍ତ ଲକ୍ଷ୍ୟ ସରକାରଙ୍କ ଦ୍ୱାରା ହାସଲ ହେବାର ସମ୍ଭାବନା କମ୍‌ ଦେଖାଯାଏ। କାରଣ ସରକାରଙ୍କ ବିକାଶ ଦର୍ଶନ, ଠିକ୍‌ ଏହାର ବିପରୀତ, ପୁଞ୍ଜିପତି ଓ ଧନିକ ବର୍ଗଙ୍କ ତୋଷଣ ନିମନ୍ତେ ଉଦ୍ଦିଷ୍ଟ। ସରକାରଙ୍କ ପ୍ରାଥମିକତାରେ ସାଧାରଣ ଓ ସ୍ବାର୍ଥ ଏକ ବଡ଼ ବୃତ୍ତରେ ଛୋଟ ବିନ୍ଦୁ ସଦୃଶ। ତେଣୁ ଶହେବର୍ଷର ଓଡ଼ିଶାକୁ ବାସ୍ତବିକ ରୂପ ଦେବାର ପ୍ରକୃତ ସୈନିକ ଓ ହିତାଧିକାରୀ ହେଉଛନ୍ତି ସାଧାରଣ ଓଡ଼ିଶାବାସୀ। ସେମାନଙ୍କ ବିନା ଏହା ସମ୍ଭବ ନୁହେଁ। ତେଣୁ ସାଢ଼େ ଚାରିକୋଟି ଓଡ଼ିଶାବାସୀ ଏଥିପାଇଁ ଜାଗ୍ରତ ହେବାକୁ ହେବ। ଓଡ଼ିଆ ଉଠିଲେ ଓଡ଼ିଶା ଉଠିବ।

ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri