ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ନିର୍ଦ୍ଧାରିତ ହୋଇଥିବା ଶୁଭମୂହୁର୍ତ୍ତରେ ଗଣତି ମଣତି ଆରମ୍ଭ ହୋଇଛି । ତେବେ ଗଣତି ମଣତି ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଅନ୍ୟମାନଙ୍କୁ ମଧ୍ୟରେ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସି ପ୍ରତୀକ ସିଂଙ୍କ ଅଧିକୃତ ଅଧିକାରୀମାନେ ଉପସ୍ଥିତଥିଲେ। ବୈଠକରେ ରତ୍ନ ଅଳଙ୍କାର ଗଣତି ମଣତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ ଟା ୩୫ରେ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ। ପ୍ରବେଶ ପୂର୍ବରୁ ସିଂହଦ୍ୱାରଠାରେ ସମସ୍ତ ଅଧିକାରୀଙ୍କ ସହ ସୁପରଭାଇଜର ଟିମ୍ ଓ ହ୍ୟାଣ୍ଡଲିଂ ଟିମ୍ ସଦସ୍ୟ ସାଷ୍ଟାଙ୍ଗ ପ୍ରଣାମ କରି ଶ୍ରୀମନ୍ଦିର ମଧ୍ୟରୁ ଯାଇଥିଲେ। ଲାରେ ପାରମ୍ପାରିକ ପୋଷାକ ପିନ୍ଧି ପୂର୍ବ ନିର୍ଦ୍ଧାରିତ ଅମୃତବେଳା ମଧ୍ୟାହ୍ନ ୧୨ଟା ୯ରୁ ୧ଟା୪୫ ମଧ୍ୟରେ ରତ୍ନଭଣ୍ଡାର ଭିତରକୁ କେବଳ ହ୍ୟାଣ୍ଡଲଂ ଟିମ୍ ସଦସ୍ୟ ପ୍ରବେଶ କରି ରତ୍ନଭଣ୍ଡାର ମଧ୍ୟକୁ ଯାଇ ଗଣତି କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ମୋବାଇଲ ଓ କୌଣସି ଧାତବ ସାମଗ୍ରୀ ନେବା ନିଷେଧ କରାଯାଇଛି।
ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି। ପ୍ରଥମେ ଚଳନ୍ତି ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ହେବ। ପରେ ବାହାର ଓ ଭିତର ଓ ରତ୍ନଭଣ୍ଡାରରେ ଥିବା ସମସ୍ତ ସୁନା ଅଳଙ୍କାରର ଗଣତି, ଭିଡିଓଗ୍ରାଫି ଓ ୩ଡି ମ୍ୟାଫି ହେବ। ୧୯୭୮ର ଗଣତି ତାଲିକା ଅନୁଯାୟୀ ମେଳକ କରାଯିବ। ପ୍ରତିଦିନ ଗଣତି ମଣତିର ତଥ୍ୟ କମ୍ପ୍ୟୁଟରରେ ରଖାଯିବ। ଗଣତିମଣତି ଦିନ ଭକ୍ତମାନେ ବାହାର କାଠ ନିକଟରୁ ଦର୍ଶନ କରିଛନ୍ତି। ସେହିଭଳି ପ୍ରାଧିକୃତ ପାଳିଆ ସେବାୟତମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପାସ୍ ପ୍ରଦାନ କରାଯାଇଛି।

