ଖବର ପ୍ରକାଶ ପରେ ଚେତିଲେ ବ୍ୟବସାୟୀ, ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ପଡ଼ିଆ କଲେ ସଫା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ହେଲିପ୍ୟାଡ୍‌ ପଡ଼ିଆଠାରେ ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଦୋକାନ ଖୋଲାଯାଇଥିଲା। ଏଥିରେ ଲାଇସେନ୍ସପ୍ରାପ୍ତ ୫ ଜଣ ବ୍ୟବସାୟୀ ସ୍ବତନ୍ତ୍ର ଭାବେ ଦୋକାନ ଖୋକିଥିଲେ। ତେବେ ଦୀପାବଳି ସରିବା ପରେ ବାଣ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା। ସେଠାରେ ଅସ୍ଥାୟୀ ଦୋକାନକୁ ଉଠାଇଦେଇଥିଲେ। କିନ୍ତୁ ବାରୁଦ ଲାଗିଥିବା ବର୍ଜ୍ୟବସ୍ତୁଗୁଡ଼ିକ ସେଠାରେ ହିଁ ଛାଡ଼ିଦେଇଥିଲେ। ଫଳରେ ବୁଲା ଗୋରୁ ଉକ୍ତ ବର୍ଜ୍ୟବସ୍ତୁ ଖାଉଥିବା ଓ ସେମାନେ ଅସୁସ୍ଥ ହେବା ଆଶଙ୍କା ରହିଥିଲା। ଏନେଇ ଧରିତ୍ରୀ ପୋର୍ଟାଲରେ ‘ବାଣ ବ୍ୟବସାୟ ପରେ ହିତାହିତ ଜ୍ଞାନ ଭୁଲିଗଲେ’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। । ଏହାକୁ ସ୍ଥାନୀୟ ଡିଏସ୍‌ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ଘଟଣାକୁ ଗୁରୁତ୍ୱ ଦେବା ସହ ଉକ୍ତ ବର୍ଜ୍ୟବସ୍ତୁ ସଫା କରି ନିଆଁ ଲଗାଇ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବ୍ୟବସାୟୀମାନେ ତୁରନ୍ତ ତାକୁ ସଫା କରି ନିଆଁ ଲଗାଇ ସମ୍ପୂର୍ଣ୍ଣ ପଡ଼ଆକୁ ସଫା କରିଥିବା ଜଣାପଡ଼ିଛି।

Dharitri – The Largest & Most Trusted Odia Daily