ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାନଖେମୁଣ୍ଡି ବ୍ଲକ ଗାଙ୍ଗପୁର ପଞ୍ଚାୟତ ଦିତୀୟ ଢେପାଗୁଡ଼ା ଗ୍ରାମର ଦମ୍ପତି ପ୍ରତାପ ମଲ୍ଲିକ(୩୫) ଏବଂ ତାଙ୍କ ସ୍ତ୍ରୀ ଲଳିତା (୩୦) ମୃତ୍ୟୁବରଣ କରିଥିଲେ। ଦିଗପହଣ୍ଡି ଥାନାରେ କେସ୍‌ ନଂ.୪୪୪/୨୫ ଅନୁଯାୟୀ ଉଭୟଙ୍କ ମୃତଦେହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଶନିବାର ଅପରାହ୍ନରେ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ଗାଁ ସାରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତାପ ରାଜମିସ୍ତ୍ରୀ କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ସ୍ତ୍ରୀ ୮ ମାସର ଗର୍ଭବତୀ ଥିବାରୁ ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଆଲଟ୍ରା ସାଉଣ୍ଡ କରାଇଥିଲେ। ପରେ ହସ ଖୁସିରେ ୩ ବର୍ଷର ଝିଅ ଆରସୀକୁ ନେଇ ସ୍କୁଟି ନଂ.(ଓଡ଼ି୩୨ଏଫ-୪୨୯୩) ଯୋଗେ ଗାଁକୁ ଫେରୁଥିଲେ। ବିପରୀତ ଦିଗରୁ ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳର ସୁନୀଲ ଦଳାଇ ତାଙ୍କ ବାଇକ୍‌ ନଂ.(ଓଡ଼ି୦୭ ଏଇ -୦୩୭୩) ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ସ୍କୁଟିକୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଇଥିଲା।

ଅପରପକ୍ଷରେ ପ୍ରତାପଙ୍କ ଝିଅ ଆରସୀଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ତହସିଲଦାର ଦିଲ୍ଲୀପ କୁମାର ଜେନା ଏବଂ କର୍ମଚାରୀ ବୃନ୍ଦ ଗାଁରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ରେଡ୍‌କ୍ରସ ପାଣ୍ଠିରୁ ୬୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଭାଜପା କାର୍ଯ୍ୟକର୍ତ୍ତା ଇଂ.ଉତ୍ତମ କୁମାର ପାଣିଗ୍ରାହୀ ଏବଂ ସାନଖେମୁଣ୍ଡି ଦଳୀୟ କାର୍ଯ୍ୟକର୍ତ୍ତା ବୃନ୍ଦ ଗାଁରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ।

Dharitri – Odisha’s No.1 Odia Daily