କିଟିକିଟି ଅନ୍ଧାରରେ ବ୍ଲକ୍‌ ମୁଖ୍ୟାଳୟ, ବାରମ୍ବାର ଖବର ପ୍ରସାରଣ ମଧ୍ୟ କାହାର ନଜର ପଡୁନି

ଥୁଆମୂଳ ରାମପୁର,୨୧ା୭(ଦୁର୍ଗା କୀର୍ତ୍ତି): ଅନ୍ଧାରରେ କିଟକିଟି ବ୍ଲକ ମୁଖ୍ୟାଳୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାଠାରେ ଡିଏମ୍‌ଏଫ୍‌ ଗ୍ରାଣ୍ତରୁ ଗତ ୨୦୧୭ ଆର୍ଥିକ ବର୍ଷାରେ ୧୭,୯୨.୭୮୦ ଟଙ୍କା ଖର୍ଚ୍ଚରେ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ମା’ ମାଣିକେଶ୍ୱରୀ ମନ୍ଦିର ବଜାର ପଡ଼ିଆ ପର୍ଯ୍ୟନ୍ତ ଲଗାଯାଇଥିବା ସୋଲାର ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ମାତ୍ର କିଛି ଦିନ ଆଲୋକୀକରଣ କରି କିଛି ଦିନ ପରେ ଯାହା ଆଜି ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ତଥାପି ନା ପ୍ରଶାସନର ନଜର ନା ସ୍ଥାନୀୟ ରାଜ ନେତାଙ୍କ ନଜର, କାହାରି ନଜର ମଧ୍ୟ ପଡ଼ି ନାହିଁ। ଯାହାଫଳରେ ଅନେକ ପଥଚାରୀଙ୍କଠାରୁ ଆରମ୍ଭ କରି ସ୍କୁଲ କଲେଜ ଛାତ୍ରୀଛାତ୍ର ଟିଉସନ ଯିବା ଆସିବା ସମୟରେ ରାତିର କିଟି କିଟିଅନ୍ଧାରରେ ବିଭିନ୍ନ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ଏମିତିକି ବର୍ଷା ଦିନ ହେତୁ ଖାଲଖମାରେ ଭର୍ତ୍ତି କାଦୁଅ ସରସର କିଛି ରାସ୍ତାରେ ଚଳାଚଳ ପ୍ରତି ବିପଦର ଆଶଙ୍କା ସାଙ୍ଗକୁ ଅନ୍ଧାର ରାସ୍ତାରେ ଗୋରୁଙ୍କ ଚରାଭୂଇଁ ମଧ୍ୟ ପାଲଟିଥିବା ଯୋଗୁ ଅନେକ ସମୟରେ ବାଇକ୍‌ ଚାଳକଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଯାନବାହନ ଚଳାଚଳ ସମୟରେ ଅନେକ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ଦେଖାଦେଉଛି। ବହୁ ଅର୍ଥ ବ୍ୟୟରେ ଯେଉଁ ଷ୍ଟ୍ରିଟ୍‌ ଲାଇଟ୍‌ ଯୋଗାଣ ହୋଇଥିଲା ତାହା ଏବେ ସବୁ ଅର୍ଥ ପାଣିରେ ପଡ଼ିଲା ପରି ମନେହେଉଛି।

ସରକାର୍‌ କା ମାଲ୍‌ ଦରିଆ ମେ’ ଡାଲ୍‌ ଭଳି ଘଟଣା ପରିଲକ୍ଷିତ ହେଉଛି। ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରିତ କରାଯାଇଥିଲା। କିନ୍ତୁ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ଥାନୀୟ ରାଜନେତାଙ୍କ ପକ୍ଷରୁ ଏହା ଉପରେ କୌଣସି ଦୃଷ୍ଟି ନ ଦେବା ଅତି ବିଡ଼ମ୍ବନାର ବିଷୟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ବ୍ଲକ ମୁଖ୍ୟାଳୟ ଅବସ୍ଥା ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳର ଅବସ୍ଥା ସହଜରେ ଅନୁମେୟ। ଯାହାକି ଏହାକୁ ଦୀପତଳ ଅନ୍ଧାର ବୋଲି କୁହାଯାଇଛି। ଲାଭଖୋର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ଷ୍ଟ୍ରିଟ୍‌ ଲାଇଟ୍‌ର ଏଅବସ୍ଥା ହୋଇଛି ବୋଲି ଅଭିଯୋଗ ମାନ କରୁଥିବା ବେଳେ ନୂତନ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି।

ଏହାକୁ ନେଇ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କୁ ଆମ ପ୍ରତିନିଧି ବାରମ୍ବାର ଅବଗତ କରାଇଥିଲେ। ବିଡିଓ ମୁଦୁଲି ଏନେଇ ଯଥାଶୀଘ୍ର ପଦକ୍ଷେପ ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଡିଓ ମଧ୍ୟ ନିଜ ପ୍ରତିଶ୍ରୁତି ପ୍ରତି ଅବହେଳା କରିବା ପରିତାପର ବିଷୟ। ଏସମ୍ପର୍କରେ ପୁନଃବାର ବିଡିଓଙ୍କୁ ପଚାରିବାରୁ ବର୍ତ୍ତମାନ କୌଣସି ପାଣ୍ଠି ଆସି ନାହିଁ, ଆଗାମୀ ଦିନରେ ସେମିତି କିଛି ପାଣ୍ଠି ଆସେ ତେବେ ଆମେ ନୂତନ ଭାବରେ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ କରିବୁ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକିରହିଲା ବର୍ତ୍ତମାନର ଖବର ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ କି ଭଳି ପଦକ୍ଷେପ ଗ୍ରହଣ କରି ଷ୍ଟ୍ରିଟ୍‌ ଲାଇଟ୍‌ ପୁନର୍ବାର ଜଳିବ ଲୋକେ ସୁବିଧା ପାଇବେ ସେହି ସମୟକୁ ହିଁ ଅପେକ୍ଷା ରହିଲା।