ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରୁଛି। ଶୀତଋତୁ ତଥା ନୂଆବର୍ଷ ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଦୈନିକ ୧୦ରୁ ଅଧିକ ଡଙ୍ଗାରେ ପର୍ଯ୍ୟଟକ ହୁକିଟୋଲାକୁ ଯାଉଛନ୍ତି। ବଣଭୋଜି କରିବା ଏହା ପ୍ରକୃଷ୍ଠ ସ୍ଥାନ ବୋଲି ପର୍ଯ୍ୟଟକମାନେ କହିଛନ୍ତି।
ସମୁଦ୍ର କୂଳରେ ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ। ସୂର୍ଯ୍ୟାସ୍ତ କାଳରେ ବାଲୁକା ବେଳାଭୂମିରେ ମତ୍ସ୍ୟଜୀବୀ ଡଙ୍ଗାରେ ମାଛ ଧରିବା ସମୟରେ ଦୃଶ୍ୟ ଖୁବ୍ ନିଆରା। ସେହିପରି ଲଞ୍ଚଘୋଲା, ମାଦଳୀ, ଷୋଳ ମୁହାଣ ଆଇଲାଣ୍ଡରେ ପର୍ଯ୍ୟଟକମାନେ ବୁଲିବା ଅନୁଭୂତି ସାଉଁଟିଥାନ୍ତି। ଏହି ସ୍ଥାନଗୁଡ଼ିକରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଘଞ୍ଚ ଜଙ୍ଗଲରେ ହରିଣ, ବାର୍ହା, ହାଏନା, ଶିଆଳ, ହେଟା, ବିଭିନ୍ନ ପ୍ରଜାତିର ସରୀସୃପ, ଅରଣା ମଇଁଷି ଦେଖିବାକୁ ମିଳେ। ହୁକିଟୋଲା ଚତୁଃପାର୍ଶ୍ୱରେ ଲୁଣା ହେନ୍ତାଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଦୂରରୁ ପର୍ଯ୍ୟଟକମାନଙ୍କୁ ବେଶି ଆକର୍ଷିତ କରିଥାଏ। ଅପରପକ୍ଷରେ ହୁକିଟୋଲରେ ବ୍ରିଟିଶ ଶାସନ ନଅଙ୍କ ଦୁର୍ଭିକ୍ଷ ସମୟରେ ଖାଦ୍ୟ ଲାଗି ଗୋଦାମ ଗୃହ ରହିଛି। ଏଠାରେ ବିଦେଶରୁ ମାଲ ଆମଦାନୀ ହୋଇ ଗଚ୍ଛିତ ରହୁଥିଲା। ସେଠାରୁ ଷ୍ଟିମର ଯୋଗେ କଟକ, ଚାନ୍ଦବାଲି, ପୁରୀ, ବାଲେଶ୍ୱର ଅଞ୍ଚଳକୁ ମାଲ ପରିବହନ ହେଉଥିଲା। ଐତିହାସିକ ହୁକିଟୋଲା କଟକ ଗଡ଼ଖାଇ ବିଶାଳ ପଥରରେ ସୂକ୍ଷ୍ମ କଳାର କାରୁକାର୍ଯ୍ୟ ନିର୍ମାଣ କାର୍ଯ୍ୟ ବେଶ୍ ଆକର୍ଷଣୀୟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ପର୍ଯ୍ୟଟନସ୍ଥଳ ଘୋଷଣାକଲେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆଗମନ ସହ ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଆନ୍ତା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହି ଆଇଲାଣ୍ଡକୁ ଯିବାକୁ ହେଲେ ଜଳପଥରେ ଡଙ୍ଗାରେ ଦେଢ଼ରୁ ୨ ଘଣ୍ଟା ଲାଗେ। ସାମୁଦ୍ରିକ ଜୁଆର ପାଣି ଉପରେ ପରିବହନ ନିର୍ଭରକରେ। ଜମ୍ବୁ, ରାମନଗର, ଆମ୍ବବେଲାରୀ, ଖରିନାସୀ ଜେଠିଠାରୁ ଡଙ୍ଗାରେ ଯିବାର ବ୍ୟବସ୍ଥା ରହିଛି। ବୋଟ ଯିବା ବେଳେ ଜଙ୍ଗଲ ଉଭୟ ପାର୍ଶ୍ୱରେ ହରିଣ ଓ କୁମ୍ଭୀରମାନଙ୍କ ଯାତାୟାତ ଖୁବ୍ ମନୋରମ ଦୃଶ୍ୟ ଦେଖିବାକୁ ମିଳେ। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ହୁକିଟୋଲା ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily


