ଆଜି ଶେଷ ସନ୍ଧ୍ୟାରେ ବଲିଉଡ ଗାୟକଙ୍କ ଗୀତରେ ଝୁମିବେ ଦର୍ଶକ: ପହଞ୍ଚିବେ ମନ୍ତ୍ରୀ, ବିଧାୟକ

ଧର୍ମଶାଳା, ୬।୧( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆଠାରେ ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୧ତମ ଧର୍ମଶାଳା ମହୋତ୍ସବ ମହାଆଡ଼ମ୍ବରରେ ପାଳନ କରାଯାଉଛି। ଆଜି ମଙ୍ଗଳବାର ଏହାର ଉଦଯାପନୀ ଉତ୍ସବ ପାଳନ କରାଯିବ । ସେଥିପାଇଁ ରଙ୍ଗାରଙ୍ଗ ବଲିଉଡ ନାଇଟ କାର୍ଯ୍ୟକ୍ରମ ସହ ଅତିଥି ଭାବେ ବହୁ ନେତା ଓ ମନ୍ତ୍ରୀ ଯୋଗଦାନ କରିବେ। ଏହି ସନ୍ଧ୍ୟାରେ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ , ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର , ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, କୋରେଇ ବିଧାୟକ ଆକାଶ ଦାସ ନାୟକ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦାନ କରିବେ ବୋଲି ସୂଚନା ମିଳିଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ବଲିଉଡର ଗାୟକ ଅମିତ ମିଶ୍ରଙ୍କ ବଲିଉଡ ନାଇଟ କାର୍ଯ୍ୟକ୍ରମ ରାତି ୮ଟା ସମୟରେ କରାଯିବା ନେଇ ସୂଚନା ମିଳିଛି। ଓଲିଉଡ ଓ ବଲିଉଡ ଜଗତର ସୁପରହିଟ ଗାୟକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କୁ ଝୁମାଉଛନ୍ତି। ଜିଲା ତଥା ଜିଲା ବାହାରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ମେଳାରେ ବୁଲିବାର ମଜା ନେବା ସହ ସୁଆଦିଆ ଖାଦ୍ୟ ଖାଇ ମହୋତ୍ସବକୁ ଉପଭୋଗ ମଧ୍ୟ କରୁଛନ୍ତି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହଯୋଗରେ ମହୋତ୍ସବ କମିଟି ପକ୍ଷରୁ ଏହାକୁ ଧୁମ୍‌ଧାମ ସହ ପାଳନ କରାଯାଉଛି।

 

Dharitri – The Largest & Most Trusted Odia Daily

Share
Tags: odisha