ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ ଠିକ୍‌ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନ କରିବା ସହ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନର କିଛି ସଦସ୍ୟ ଆଜି ବୁଧବାର ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଧରି ସମ୍ପୃକ୍ତ ଔଷଧ ଦୋକାନୀଙ୍କ ଦୋକାନକୁ ଆସି ଯାଞ୍ଚ କରିବାକୁ ଆସିଥିଲେ। ଗୋଟିଏ ସ୍ଥାନରେ ହୋଲସେଲର ଓ ରିଟେଲର୍‌ ଦୋକାନ ଖୋଲିବା ବେଆଇନ ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦାବି କରିଥିଲେ। ସେ ଦୋକାନୀ ଜଣକ ବେଆଇନ କାମ କରୁଥିବା ଅଭିଯୋଗ କରିଥିଲେ। ଡ୍ରଗ୍ସ ଇନ୍ସପେକ୍ଟର ସେଠାରେ ଯାଞ୍ଚ କରି ସମ୍ପୃକ୍ତ ଦୋକାନୀଙ୍କ ହୋଲସେଲର ଓ ରିଟେଲର୍‌ ଲାଇସେନ୍ସ ରହିଛି ବୋଲି କହିଛନ୍ତି। ଅନ୍ୟ ଦିଗ ଉପରେ ତଦନ୍ତ କରିବେ ବୋଲି କହିଛନ୍ତି।

ତେବେ ରୋଗୀ ଓ ତାଙ୍କ ପରିଜନଙ୍କୁ ଅଧିକ ଡିସକାଉଣ୍ଟ ଦେବାରୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଧରି ଜଣେ ଦୋକାନୀଙ୍କୁ ଚଢାଉ କରିବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସହରରେ ଚଢ଼ାଦରରେ ବହୁ ଦୋକାନୀ ଔଷଧ ବଣ୍ଟନ କରୁଥିବାରୁ ଲୋକେ ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି। ଏଭଳି ସମୟରେ ଜଣେ ଦୋକାନୀ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧ ଦୋକାନକୁ ଚଢ଼ାଉ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Share