ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନଓ୍ବାଡ଼ି କର୍ମୀ ସ୍ଥାନୀୟ କାଳୀ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୧ ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ ଓ୍ବାର୍କର୍ସ ଆସୋସିଏଶନ। ଦାବିଗୁଡ଼ିକ ହେଲା ଆଇସିଡିଏସ୍‌ ଯୋଜନା ଉଚ୍ଛେଦ ସାଙ୍ଗକୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ୧୮ ହଜାର ଓ ସହାୟିକାଙ୍କୁ ୯ ହାଜର ଟଙ୍କା ପ୍ରଦାନ, ପୋଷଣ ଟ୍ରାକରରେ ହେଉଥିବା ଅସୁବିଧା ନେଇ ନୂଆ ମୋବାଇଲ ସହ ରିଚାର୍ଜ ପ୍ରଦାନ, ଅବସରକାଳୀନ ସହାୟତା ରାଶି ସହ ପେନ୍‌ସନ୍‌ ପ୍ରଦାନ, ପ୍ରତି ବ୍ଲକ ଓ ଜିଲାରେ ଅଭିଯୋଗ ନିବାରଣ କମିଟି ଗଠନ,୨୦୨୪ ନିର୍ବାଚନ ଇସ୍ତାହାର ତୁରନ୍ତ ପାଳନ ଆଦି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ ହଜାର ହଜାର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା। ରାଜ୍ୟ ସରକାର ଦାବି ପୂରଣ ନ କଲେ ଦିଲ୍ଲୀରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସରକାରଙ୍‌ଙ୍କ ସେମାନଙ୍କ ପ୍ରତି ଆଭିମୁଖ୍ୟକୁ ଘୋର ସମାଲୋଚନା କରିଥିଲେ। ଡବଲ ଇଞ୍ଜିନ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ। ସେମାନେ ପାଉଥିବା ପ୍ରାପ୍ୟଠାରୁ ବହୁ ଅଧିକ କାମ କରୁଛନ୍ତି। ଏଣୁ ସରକାର ସେମାନଙ୍କ ପ୍ରାପ୍ୟ ଦେଇ ନ ପାରିଲେ ସମାଜ ମଙ୍ଗଳ ବିଭାଗକୁ ବନ୍ଦ କରି ଦିଅନ୍ତୁ। ନଚେତ ଆଗାମୀ ଦିନରେ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା ପକାଇବେ ବୋଲି କେତେକ ନେତ୍ରୀ ବକ୍ତବ୍ୟ ରଖି ଚେତାବନୀ ଦେଇଛନ୍ତି।

Share