ଦାରିଙ୍ଗବାଡ଼ି,୭ା୫(ଅରୁଣ ସାହୁ): ଏବେ ଆମ୍ବର ସମୟ। ଚାରିଆଡ଼େ ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ, ଆଚାରର ଚାହିଦା ଅଧିକ ରହିଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳାଙ୍କୁ ଦେଇଛି ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ ଏବଂ ଆଚାର।
ପ୍ରକାଶ ଯେ, ଦାରିଙ୍ଗବାଡ଼ି ସମେତ ସାରା କନ୍ଧମାଳ ଜିଲା ଆନ୍ଧ୍ରପ୍ରଦେଶରୁ ପାଚିଲା ଆମ୍ବ ଆସିଲେ ଖାଇଥାନ୍ତି ଓ ପାରମ୍ପରିକ ଠୁରି ଆମ୍ବ ଆଉ କାଁ ଭାଁ ବାଇଗଣ ପଲେଇ ଆମ୍ବ ମିଳୁଥିଲା କିନ୍ତୁ ଗତ ଦି ଦଶନ୍ଧି ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଆମ୍ବ, ଲିଚୁ, ପଣସ ଷ୍ଟ୍ରବେରୀ, ପନିପରିବା ଭଳି ଉଦ୍ୟାନ ଚାଷ ପାଇଁ ଲୋକଙ୍କୁ ସଚେତନ କରିବା ସହ ତାରବାଡ଼ ବ୍ୟବସ୍ଥା କରି ସହାୟତା କରିବାରୁ ଏବେ ଦାରିଙ୍ଗବାଡ଼ି ଅଞ୍ଚଳ ଆଉ ଆନ୍ଧ୍ର ଆମ୍ବ ଉପରେ ନିର୍ଭର ନକରି ନିଜ ଅଞ୍ଚଳରେ ଆମ୍ବ ଚାଷ କରି ଚାଷୀ ମାଲାମାଲ ହେଉଛନ୍ତି। ମାତ୍ର ୩ ରୁ ୫ ବର୍ଷ ପରିଶ୍ରମ କରି ଆମ୍ବ ଗଛ ବଞ୍ଚାଇ ଦେବା ପରେ ଚାଷୀ ପ୍ରତିବର୍ଷ ଏହି ସମୟରେ ଆମ୍ବ ନିଜ ବାଡ଼ରୁ ସଂଗ୍ରହ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ତେବେ ଏଥିରେ କେଳ ଚାଷୀ ନୁହନ୍ତି। ମହିଳାମାନେ କଞ୍ଚା ଆମ୍ବଚାଷୀଙ୍କଠାରୁ କିଣି ଆମ୍ବୁଲ ଓ ଆଚାର କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। କଞ୍ଚା ଆମ୍ବର ଉପର ଚୋପାକୁ ଛଡ଼ାଇ ତାକୁ ଭଲ ଭାବେ ଧୋଇ ଦିଅନ୍ତି ଓ ତାକୁ ଟିକେ ପାଣି ଶୁଖିଲା ଭଳି ଶୁଖାଇ ସେଥିରେ ଆବଶ୍ୟକ ଲୁଣ ଦେଇ ପଲିଥିନ ବ୍ୟାଗ କିମ୍ବା ବଡ଼ ରସ ହଣ୍ଡାରେ କିଛି ଦିନ ରଖାଯାଏ ଓ ପରେ ତାକୁ ପୁଣି ଖରାରେ ଶୁଖେଇ ଆମ୍ବୁଲ ଓ ଆଚାର ଆଦି ପ୍ରସ୍ତୁତ କରିଥାନ୍ତି। ୧୦ କେଜି କଞ୍ଚା ଆମ୍ବରୁ ପ୍ରାୟ ୨ ରୁ ଅଢେଇ କିଲୋ ପର୍ଯ୍ୟନ୍ତ ଆମ୍ବୁଲ ବାହାରିଥାଏ। ଯାହାର ମୂଲ୍ୟ କିଲୋ ପିଛା ଶହେରୁ ଦେଢ଼ଶହ ଟଙ୍କା ପର୍ଯ୍ୟନ୍ତ। ଭୁବନେଶ୍ୱର କଟକ, ପୁରୀ, ବାଲେଶ୍ୱର, ଆଦି ଅଞ୍ଚଳରେ ବିକ୍ରି କରାଯାଇଥାଏ। କଞ୍ଚା ଆମ୍ବ କିଲୋ ପିଛା ଏବେ ୧୫ ଟଙ୍କା ପର୍ଯ୍ୟନ୍ତ କିଣାଯାଉଥିବା ମହିଳା ଉଦ୍ୟୋଗୀ ଝରଣା ସାହୁ କହିଛନ୍ତି। ସେ କହିଛନ୍ତି, ସେ ନିଜେ ରୋଜଗାର କରିବା ସହ ଏକାଧିକ ପରିବାର ଲୋକଙ୍କୁ ଏହି ଆମ୍ବ ସିଜନରେ ରୋଜଗାର ଦେଉଥିବା କହିଛନ୍ତି।