ଦିଗପହଣ୍ଡି,୯ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ବିଡିଓ ଅନାମିକା ପାଣ୍ଡେଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ବ୍ରହ୍ମପୁର ଏସ୍ପି ଡ଼.ଶ୍ରବଣ ବିବେକ ଏମ୍ ପ୍ରମୁଖ ଉପସ୍ଥିତ ଥିଲେ। ଦିଗପହଣ୍ଡି ବ୍ଲକ୍ର ୨୫ ପଞ୍ଚାୟତ ସମେତ ଏନ୍ଏସି ଅଞ୍ଚଳର ସମୁଦାୟ ୨୧୮ ଅଭିଯୋଗ ଏହି ଜନ ଶୁଣାଣିରେ ପଞ୍ଜୀକୃତ କରାଯାଇଥିଲା। ଏଥିରେ ଭତ୍ତା ଆବେଦନ, ସ୍ବାସ୍ଥ୍ୟ ସମ୍ପର୍କିତ, ବିଭିନ୍ନ ପ୍ରମାଣପତ୍ର , ରାସନ କାର୍ଡ, ଶିକ୍ଷା ସମ୍ବନ୍ଧୀୟ ଆବାସ ଯୋଜନା ସମ୍ପର୍କିତ ଦରଖାସ୍ତ ରହିଥିଲା। ଏଥିସହ କଇଠଖଣ୍ଡି ପଞ୍ଚାୟତ ଦାମୋଦରପୁର, ପେଣ୍ଡୁରାବାଡି ଓ କଣ୍ଡା ଗାଁର ବହୁ ସଂଖ୍ୟକ ଚାଷୀ ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଅର୍ଜୁନଘାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଏକ ଆନିକଟ ନିର୍ମାଣ ପାଇଁ ଦାବି କରିଥିଲେ। ସେହିପରି ନିମଖଣ୍ଡିପେଣ୍ଠ ପଞ୍ଚାୟତର ପନାଡ ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଯୋଜନାରେ ପ୍ରସ୍ତାବିତ କୋଠାକୁ ନିମଖଣ୍ଡିପେଣ୍ଠ ଗ୍ରାମରେ ନିର୍ମାଣ କରିବା ପାଇଁ ବହୁ ଗ୍ରାମବାସୀ ଦାବି ଜଣାଇଥିଲେ। ପରିଶେଷରେ ୩ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ୨ ଜଣଙ୍କୁ ହୁଇଲ ଚେୟାର ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ପ୍ରଶାସନିକ ଅଧିକାରୀ ବୃନ୍ଦ ଆଶା ବାଡ଼ି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର, ସିଡିପିଓ ପୁଷ୍ପାଞ୍ଜଳି ଶତପଥି, ଜିପିଡିଓ ଉମେଶ ସେଠୀ, ଯୋଗାଣ ନିରୀକ୍ଷକ ବ୍ରଜେଶ୍ୱର ରୟଙ୍କ ସମେତ ଜିଲାର ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।


