ପ୍ରଶାସନ ନେଲା ବଡ଼ ପଦକ୍ଷେପ, ଏଣିକି ଜାତୀୟ ରାଜପଥରୁ ହଟିବ…

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡ଼ି ବଜାର ଉପରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ ନେଇଛି। ଗୁରୁବାର ମିଳିତ ଭାବେ ଉଠାଦୋକାନୀଙ୍କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଯେଉଁ ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଡ୍ରେନ୍‌ ପର୍ଯ୍ୟନ୍ତ ଟିଣ ପକାଇଛନ୍ତି ସେଗୁଡିକୁ ଉଚ୍ଛେଦ ପାଇଁ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ଗୁରୁବାର ତହସିଲଦାର ଧୀରଜ ପାତ୍ରଙ୍କ ନେତୃତ୍ୱରେ ବିଡିଓ ପ୍ରୀତୀରଞ୍ଜନ ରଥ, ଆଇଆଇଆସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ଦାରିଙ୍ଗବାଡ଼ିର ୩ ଛକଠାରୁ ୪ ଛକ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ଶୀଘ୍ର ନିଜ ଦୋକାନ ଉଠାଇ ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦୋକାନୀଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବା ଅଭିଯୋଗ ହେଉଥିଲା। ଏଥିରେ ସରପଞ୍ଚ ଚନ୍ଦ୍ରିକା ମଳିକ ପଞ୍ଚାୟତ ପକ୍ଷରୁ ଭେଣ୍ଡିଂ ଜୋନ ଖୋଲାଯାଇଛି ପଞ୍ଚାୟତକୁ ଯୋଗାଯୋଗ କରି ନିଜ ଭେଣ୍ଡିଂ ଜୋନ୍‌ର ଗୋଟିଏ ଲେଖାଏ ଜାଗା ଗ୍ରହଣ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ବିଡିଓ ପ୍ରୀତିରଞ୍ଜନ ରଥ ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଏଠାରେ ରାଜପଥ ଉପରୁ ଜବରଦଖଲ ଉଚ୍ଛେଦ କରାଗଲେ ଟ୍ରାଫିକ ନିୟନ୍ତ୍ରଣରେ ସୁବିଧା, ପର୍ଯ୍ୟଟକଙ୍କୁ ପରିବେଶ ଭଲ ଲାଗିବ ଓ ଯାତାୟାତରେ ସୁବିଧା ପାଇଁ ଜବରଦଖଲ ଉଚ୍ଛେଦ କରାଯାଉଥିବା  କହିଥିଲେ। ଏନେଇ ତହସିଲଦାର ଧୀରଜ ପାତ୍ର କହିଥିଲେ ଯେ, ଜିଲା ପ୍ରଶାସନ ଓ ବାଲିଗୁଡ଼ା ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଶୁଣିବନି ସେମାନଙ୍କୁ ଜବରଦସ୍ତ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।

Dharitri –Odisha’s No.1 Trusted Odia Daily