ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ୫ମ ଶ୍ରେଣୀ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଘରେ ପଶି ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ଏହି ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କ ସମ୍ପର୍କୀୟ ଦାଦା ଡି.ସନ୍ତୋଷ ଦୋରାଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୮/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ଛାତ୍ରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ପଡୋଶୀ ତାଙ୍କ ଘରେ ପଶି ଛାତ୍ରୀଙ୍କୁ ମୋବାଇଲ ଫୋନରେ ଅଶ୍ଳିଳ ଭିଡିଓ ଦେଖାଇବା ପରେ ତାଙ୍କୁ ଅସଦାଚରଣ କରିବା ସହ ବଳାତ୍କାର ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଛାତ୍ରୀଙ୍କ ମା’ ଘରକୁ ଚାଲି ଆସିଥିଲେ। ଅଭିଯୁକ୍ତ ତାଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ପୀଡ଼ିତା ସମସ୍ତ ଘଟଣା ମା’ଙ୍କୁ କାନ୍ଦି କାନ୍ଦି କହିବା ପରେ ସେ ଏନେଇ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଏବଂ ଗ୍ରାମର ଭଦ୍ର ଲୋକଙ୍କୁ ଜଣାଇଥିଲେ। କିଛି ନ୍ୟାୟ ନ ମିଳିବାରୁ ମଙ୍ଗଳବାର ପୀଡ଼ିତାଙ୍କ ମା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ ପାତ୍ର ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଅଭିଯୁକ୍ତ ଜଣଙ୍କ ଆନ୍ଧ୍ରର ଅଙ୍ଗୁଲୁୁ ସ୍ଥିତ ଏକ ଗ୍ରାନାଇଟ କମ୍ପାନୀରେ ଅପରେଟର କାମ କରନ୍ତି। ସେ କିଛିଦିନ ହେଲା ଗ୍ରାମକୁ ଆସି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଜବତ କରିଛନ୍ତି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।