ମା’ କୋଳକୁ ଫେରିଲା ଅପହୃତ ଶିଶୁ

ବରଗଡ଼ ଅଫିସ,୩ା୧: ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଅପହୃତ ଶିଶୁ (୯) ବିଳମ୍ବିତ ରାତିରେ ମା’ କୋଳକୁ ଫେରିଛି। ପୁଅକୁ ଦେଖି ପରିବାର ଲୋକେ ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପକ୍ଷରେ ଅପହର୍ତ୍ତାଙ୍କ କୌଣସି ଖୋଜଖବର ମିଳିନାହିଁ। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ପ୍ରକାଶ ଥାଉକି, ରବିବାର ସନ୍ଧ୍ୟାରେ ନିଜ ଘର ସମ୍ମୁଖରେ ଶିଶୁ ଜଣକ ଖେଳୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି  ଉଠାଇ ନେଇଥିଲେ। ଏହା ସହିତ ସେଠାରେ ଏକ ହାତଲେଖା ଚିଠି ପକାଇ ଦୁର୍ବୃତ୍ତମାନେ ଶିଶୁକୁ ଧରି ଫେରାର ହୋଇଯାଇଥିଲେ। ସେହି ଚିଠିରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖାଯାଇଥିଲା। ଏନେଇ ପୋଲସକୁ ସୂଚନା ଦେବା ପରେ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଜିଲାର ସବୁ ଥାନା ଅଞ୍ଚଳକୁ ପୋଲିସ ନାକାବନ୍ଦୀ କରି ଅନୁସନ୍ଧାନ ଜାରି ରଖିଥିଲା। ତେବେ ରାତି ପ୍ରାୟ ସାଢ଼େ ୧୧ଟାରେ ଶିଶୁପୁତ୍ର ଚାଲିଚାଲି ଘରକୁ ଫେରିଥିଲେ। ସମ୍ପୃକ୍ତ ୨ ଦୁର୍ବୃତ୍ତ ବାଇକ୍‌ ଯୋଗେ ଆଣି ତାକୁ ସିମେଣ୍ଟ ନଗରସ୍ଥିତ ଏକ ସ୍କୁଲ ପାଖରେ ଛାଡ଼ି ଦେଇଥିଲେ ବୋଲି ଶିଶୁ ଜଣକ କହିଛି।