କିଏ ସେହି ହରିଶ ଟଣ୍ଡନ, ଯିଏ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୭ା୩:କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ। ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ରେ ଅବସର ନେଇଥିଲେ। ତାଙ୍କ ସ୍ଥାନରେ ଜଷ୍ଟିସ୍‌ ଅରିନ୍ଦମ୍‌ ସିହ୍ନା ବର୍ତ୍ତମାନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି।
ଜଷ୍ଟିସ୍‌ ଟଣ୍ଡନ ୨୦୧୦ ଏପ୍ରିଲ ୧୩ରେ କଲିକତା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇ ସେବେଠୁ ଏହି ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି। ସର୍ବଭାରତୀୟ ସ୍ତରରେ ବରିଷ୍ଠତା ଭିତ୍ତିରେ ହାଇକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଟଣ୍ଡନ ସପ୍ତମ ସ୍ଥାନରେ ରହିଛନ୍ତି। ବିଚାରପତି ଭାବେ ନିଯୁକ୍ତି ପୂର୍ବରୁ ସେ କଲିକତା ହାଇକୋର୍ଟରେ ଦଓ୍ବୋନି ମାମଲାଗୁଡ଼ିକରେ ଓକିଲାତି କରୁଥିଲେ। ବିଚାରପତି ଭାବେ ନ୍ୟାୟ ପ୍ରଦାନରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ସେ ହାଇକୋର୍ଟ ମୁଖ୍ୟ ବିଚାରପତି ହେବା ପାଇଁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ କଲେଜିୟମ୍‌ ପକ୍ଷରୁ ଅପ୍‌ଲୋଡ୍‌ କରାଯାଇଥିବା ଏକ ବିବୃତିରେ କୁହାଯାଇଛି।

Share