ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଜକର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ଦୂର ଦୂରାନ୍ତରେ ରହୁଥିବା ଲୋକମାନେ ଗାଁକୁ ପହଞ୍ଚିଛନ୍ତି। ଗ୍ରାମର ବଡ଼ସାହିସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ମା’ ଙ୍କ ପୂଜାର୍ଚ୍ଚନା ଚାଲିଛି। ରଙ୍ଗ ବେରଙ୍ଗର ଆଲୋକମାଳାରେ ସମଗ୍ର ଗାଁ ଝଲସି ଉଠିଛି।
ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଘଟ ଶୋଭାଯାତ୍ରା ଗାଁ ପରିକ୍ରମା କରିବା ପରେ ଅସ୍ଥାୟୀ ଯାତ୍ରା ପୀଠରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ବୁଧବାର ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଯାତ୍ରା ପୀଠରେ ପହଞ୍ଚି ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ।
ସନ୍ଧ୍ୟାରେ ମା’କାଳୁଆ ନାଟ୍ୟ ସଂସଦ ପକ୍ଷରୁ ଗ୍ରାମର କଳାକାରମାନଙ୍କୁ ନେଇ ‘ହସେ ଦୁର୍ଯ୍ୟୋଧନ କାନ୍ଦେ ପାଞ୍ଚାଳି’ ପୌରାଣିକ ମହାଭାରତ ନାଟକକୁ ଯାତ୍ରା ପରିଚାଳନା କମିଟି ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ ଉଦ୍ଘାଟନ କରିଥିଲେ।
ଯାତ୍ରା କମିଟି ସଭାପତି ଜୁର ବିଷୋୟୀ, କୋଷାଧ୍ୟକ୍ଷ ଦେବେନ୍ଦ୍ର ବେହେରା, ନାଟକ ମ୍ୟାନେଜର ତ୍ରିପତୀ କୁମାର ପ୍ରଧାନ, ଅଧିକାରୀ ମିଟୁ ପ୍ରଧାନ, କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ପ୍ରଧାନ, ସୁନୀଲ ଗୌଡ, ମନୋଜ ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ ଏବଂ ଜକର ଗ୍ରାମ ପ୍ରାଥମିକ ସେବା ସମବାୟ ସଭାପତି ରାମେଶ୍ୱର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ।


