ଠାକୁରାଣୀ ଯାତ୍ରା, ବାସୁଦେବପୁର ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର):  ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଦିଗପହଣ୍ଡି ବ୍ଲକ୍‌ ବାସୁଦେବପୁର ଗାଁ ଉତ୍ସବ ମୁଖର ହୋଇଉଠିଛି। ୭ବର୍ଷ ପରେ ଏହି ଯାତ୍ରା ଆୟୋଜନ କରାଯାଇଥିବାରୁ ଗ୍ରାମବାସୀ ଉତ୍ସାହିତ ହୋଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ଗ୍ରାମବାସୀ ସପରିବାର ସହ ଗାଁରେ ପହଞ୍ଚିଛନ୍ତି। ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ମୁଖ୍ୟ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ସେବାୟତ, ଯାତ୍ରା ପରିଚାଳନା କମିଟି ଉପଦେଷ୍ଟା ଦିବ୍ୟସିଂହ ରେଡ୍ଡୀ, ସଭାପତି ଏମ୍‌. ନରସିଂହ, ସମ୍ପାଦକ ପି.ଗଣେଶ, କୋଷାଧ୍ୟକ୍ଷ ବାବୁ ମହାରଣା, କାର୍ଯ୍ୟକର୍ତ୍ତା ଏମ.କ୍ରିଷ୍ଣାମା, ଏମ.ପୂର୍ଣ୍ଣଚନ୍ଦ୍ର, ଏମ.ମାଧବ, କେ.ସାହେବ, ବି.ଅସନ୍ତୁଲୁ, ସ୍ଥାନୀୟ ସରପଞ୍ଚ ଏମ.ଶ୍ୟାମଘନ, ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷଙ୍କ ସମେତ ସମସ୍ତ କମିଟି ସଦସ୍ୟ ବୃନ୍ଦ, ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ମା’ ଙ୍କୁ ଅସ୍ଥାୟୀ ଯାତ୍ରା ପୀଠକୁ ଆବାହନ କରାଯାଇଥିଲା। ମା’ ଙ୍କ ମସ୍ତକରୁ ଫୁଲମଣ୍ଡା ପଡ଼ିବା ପରେ ଆଜ୍ଞା ମାଳକୁ ଏକ ଚାଙ୍ଗୁଡିରେ ଧରି ବିରାଟ ଶୋଭାଯାତ୍ରାରେ ଅସ୍ଥାୟୀ ଯାତ୍ରା ପୀଠରେ ପହଞ୍ଚିଥିଲ। ଶନିବାର ଠାରୁ ଗ୍ରାମର ବଡ଼ଦାଣ୍ଡରେ ଝାଟି ମାଟିରେ ନିର୍ମିତ ହୋଇଥିବା ଅସ୍ଥାୟୀ ଯାତ୍ରା ପୀଠରେ ମା’ ପୂଜା ପାଉଛନ୍ତି। ଏଥିସହ ଯାତ୍ରା ପୀଠରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମଗ୍ର ଗାଁ ଆଲୋକ ମାଳାରେ ଝଲସି ଉଠୁଛି। ୧୧ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ୧୯ ତାରିଖ ଭୋରରେ ଉଦଯାପିତ ହେବ।

Share