ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡାଠାରେ ଥିବା ପେପର୍ କାର୍ଟୁନ କାରଖାନାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଖବରପାଇ ରାୟଗଡ଼ା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ପରେ ନିଆଁ ଲିଭା କାମ ସରିଥିଲା। ଏଥିରେ କାରଖାନା ଶ୍ରମିକ ଓ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ପେପର୍ କାର୍ଟୁନ ସମେତ କଞ୍ଚାମାଲ ଓ କେମିକାଲ ପୋଡ଼ି ପାଉଁଶ ହୋଇଯାଇଛି। ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ମିଳିଥିବା ସୂଚନା ମୁତାବକ, ଭାକୁରଗୁଡାସ୍ଥିତ ସତ୍ୟମ ପେପର୍ ଓ ମୁଭର୍ କାରଖାନାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ହଠାତ୍ ଏକ କେମିକାଲ ଗୋଦାମରୁ ନିଆଁ ଲାଗି ପୂରା କାରଖାନାକୁ ବ୍ୟାପି ଯାଇଥିଲା ବୋଲି କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏତେବଡ଼ କାରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳିକି ନିଆଁ ଲିଭାଇବାକୁ କର୍ମଚାରୀ ମଧ୍ୟ କାରଖାନାରେ ନିଯୁକ୍ତି ପାଇନାହାନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ଚାଲିଥିବା ସହକାରୀ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି।


